ପତ୍ନୀକୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ : କାରଣ ଅସ୍ପଷ୍ଟ ।

0 0

ଭଞ୍ଜନଗର, ୨୯/୧୧(ପିପିଟି): ଘରେ ଶୋଇଥିବା ଅବସ୍ଥାରେ ନିଜ ପତ୍ନୀକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ଦୁର୍ଗାପ୍ରସାଦ ଗ୍ରାମରେ। ଗ୍ରାମର ରମେଶ ନାୟକ ତାର ପତ୍ନୀ ଲକ୍ଷ୍ମୀ ନାୟକ (୩୭)କୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ତେବେ ତଦନ୍ତ ପରେ ଘଟଣା ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ ମହିଳାଙ୍କ ବାପା ରବୀନ୍ଦ୍ର ମୁନିଙ୍କ ଏତଲା କ୍ରମେ ପୁଲିସ କେସ ନମ୍ବର ୧୨୯୩/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଚଳାଇଛି। ସୂଚନା ଅନୁଯାୟୀ, ରମେଶ ବାହାରେ ରହି କାମ କରୁଥିବା ବେଳେ କିଛି ଦିନ ପୂର୍ବରୁ ଗ୍ରାମକୁ ଫେରିଥିଲେ।କିନ୍ତୁ ଦୁଇଦିନ ଧରି ଘରେ ନଥିଲେ,ପରିବାର ଲୋକ ଖୋଜି ତାକୁ ଗତକାଲି ଘରକୁ ଆଣିଥିବା ମହିଳାଙ୍କ ବାପା କହିଛନ୍ତି। ରାତିରେ ଖାଇପିଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଧାରୁଆ ଆସ୍ତ୍ରରେ ତାଙ୍କ ଝିଅକୁ ଜ୍ବାଇଁ ହିଁ ଆକ୍ରମଣ କରି କ୍ଷତାକ୍ତ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ସେ ଏଭଳି ପଦକ୍ଷେପ କାହିଁକି ନେଲା ତାହା ସେ ଜାଣି ନଥିବା କହିଛନ୍ତି। ବିଳମ୍ବିତ ରାତିରେ ଖବର ପାଇ ଭଞ୍ଜନଗର ପୁଲିସ ଟିମ୍ ସେଠାରେ ପହଞ୍ଚିଥିଲେ। ଉଭୟ ପଟୁ କବାଟ ବନ୍ଦ ରହିଥିବା ବେଳେ ସେମାନେ ବହୁ ଚେଷ୍ଟା ପରେ ଘର ଭିତରେ ପଶି ମୁର୍ମୁଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଉକ୍ତ ଦମ୍ପତିଙ୍କ ୩ଟି ସନ୍ତାନ ରହିଥିବା ବେଳେ ଦୁଇଟି ଝିଅ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ପାଖରେ ପୁଅ ରହିଥିବା ବେଳେ ସେ ଅନ୍ୟତ୍ର ଶୋଇଥିଲା। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆଜି ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ଜଣାପଡିଛି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.