ଲୋକଭାଷାବିତ୍ ମହେନ୍ଦ୍ର ମିଶ୍ର ପଦ୍ମଶ୍ରୀ ଉପାଧିରେ ଭୂଷିତ ।

0 0

ନୂଆଦିଲ୍ଲୀ,୨୫/୦୫: ଭାରତରେ ବିପନ୍ନପ୍ରାୟ ସ୍ୱଦେଶୀ ଭାଷାଗୁଡ଼ିକର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅନେକ ବିଦ୍ୱାନ୍ ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଡ. ମହେନ୍ଦ୍ର କୁମାର ମିଶ୍ର ଅନ୍ୟତମ । ବହୁଭାଷୀ ଶିକ୍ଷା ବିଶେଷ କରି ଓଡ଼ିଶାର ଆଦିବାସୀ ପିଲାମାନଙ୍କ ମାତୃଭାଷାର ସୁରକ୍ଷା ନିମନ୍ତେ ଗୁରୁତ୍ୱାରୋପ କରି ତାଙ୍କ ନେତୃତ୍ୱରେ, ସ୍ୱଦେଶୀ ଭାଷାଗୁଡ଼ିକୁ ପ୍ରାଥମିକ ଶିକ୍ଷାରେ ଏକୀକୃତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି,ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ମାତୃଭାଷାରୁ ଓଡ଼ିଆ ଏବଂ ଇଂରାଜୀକୁ ସହଜରେ ପରିବର୍ତ୍ତନ କରିପାରିବେ । ବିପନ୍ନ ଆଦିବାସୀ ଭାଷାଗୁଡ଼ିକୁ ବିଲୁପ୍ତିରୁ ରକ୍ଷା କରିବାର ଜରୁରୀ ଆବଶ୍ୟକତାକୁ ସ୍ୱୀକାର କରି ଡ. ମିଶ୍ର ଭାଷା ଡକ୍ୟୁମେଣ୍ଟେସନ୍ ଏବଂ ସଂରକ୍ଷଣରେ ଅଗ୍ରଭାଗରେ ରହିଛନ୍ତି । ଡ. ମିଶ୍ର ଭାରତ ବାହାରେ ଥାଇଲାଣ୍ଡ, ଚୀନ୍,ଦକ୍ଷିଣ କୋରିଆ,ବାଂଲାଦେଶ, ତଥା ରୁଷ୍ ଭଳି ଅନେକ ଦେଶରେ ବହୁଭାଷୀ ସମାଜରେ ଭାଷାଗତ ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ଵ ଆରୋପ କରି ସମାବେଶୀ ଏବଂ ନ୍ୟାୟସଙ୍ଗତ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ବହୁଭାଷୀ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶ୍ଵ ଦରବାରରେ ଚର୍ଚ୍ଚିତ । ଜନଜାତି ଭାଷା ସୁରକ୍ଷାରେ ତାଙ୍କର ଅସାଧାରଣ ପ୍ରୟାସକୁ ସ୍ୱୀକୃତି ଦେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କଦ୍ୱାରା ଡକ୍ଟର ମିଶ୍ରଙ୍କୁ ୨୦୨୩ରେ ଯ଼ୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏତଦବ୍ୟତୀତ ୧୯୯୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,ଆଦିବାସୀ ଭାଷା ଏବଂ ସଂସ୍କୃତିରେ ଆଜୀବନ ସଫଳତା ପାଇଁ ବୀର ଶଙ୍କର ଶାହା ରଘୁନାଥ ପୁରସ୍କାର ପ୍ରାପ୍ତ । ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଭବ୍ୟ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଡକ୍ଟର ମିଶ୍ର, ପଦ୍ମଶ୍ରୀ ଉପାଧିରେ ବିଭୂଷିତ ହେବା ଆମ ପାଇଁ ତଥା ସମଗ୍ର ଜନଜାତି ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ ।

Leave A Reply

Your email address will not be published.