ବୋଲଗଡ଼,୨୫/୦୫(ପିପିଟି): କୋଇଲିର ନିଜର ଅତ୍ୟନ୍ତ ମଧୁର ତାନ ପାଇଁ ବିଶ୍ୱ ପ୍ରସିଦ୍ଧ। ଲୋକପ୍ରିୟ ଗାୟକ ପକ୍ଷୀ ଓ ମଧୁର ତାନ ପାଇଁ ଜଣାଯାଇଥାଏ।ବସନ୍ତ ଋତୁର ଆଗମନରେ ଏମାନଙ୍କର ସୁଲଳିତ ସ୍ୱର ବିଶେଷ ଭାବରେ ଶୁଭାଯାଇଥାଏ। ଏହି ଋତୁରେ ପ୍ରକୃତି ନୂତନ ରୂପରେ ସଜ୍ଜିତ ହେବା ସହିତ କୋଇଲିର କୁହୁକୁହୁ ମଧୁର ଧ୍ୱନିରେ ଏହି ସୌନ୍ଦର୍ଯ୍ୟକୁ ବଢାଇଦିଏ। ଏହି ମଧୁର ଧ୍ୱନି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆମକୁ ଆହ୍ୱାନ କରିବା ସହିତ ସୁନ୍ଦର ସକାଳର ସୁଚନା ଦିଏ ଯେଉଁଥିରେ ପ୍ରଭାତର ସୂର୍ଯ୍ୟ ଆଲୋକିତ କରେ ଆମ ମନ। ଆମରାଜ୍ୟରେ ଏହି ପକ୍ଷୀ ବହୁଳ ଭାବରେ ଦେଖାଯାଇଥାଏ। ପ୍ରକୃତି ପ୍ରେମୀ କହିବା ଅନୁସାରେ କୋଇଲି ଆକାର ସାଧାରଣତଃ ୩୯ ରୁ ୪୬ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ। ପୁରୁଷ କୋଇଲି ସମ୍ପୂର୍ଣ୍ଣ କଳା ରଙ୍ଗର ଏବଂ ନାଲି ଆଖି ବିଶିଷ୍ଟ ହୋଇଥିବା ବେଳେ, ମାଇ କୋଇଲି ଗୁଡିକ ଧୂସର ଏବଂ ଧଳା ରଙ୍ଗର ଚିହ୍ନ ଥିବା ପର ସହିତ ଆକର୍ଷକ ଦେଖାଯାନ୍ତି। କିନ୍ତୁ ଏହା ସହିତ ବି ଆଉ କିଛି ସ୍ୱତନ୍ତ୍ରତା ରହିଛି, ଯାହାକି ଏହି ପକ୍ଷୀକୁ ସ୍ୱତନ୍ତ୍ର କରିଥାଏ। ସ୍ଥାନ କାଳ ପାତ୍ର ଅନୁଯାୟୀ କୋଇଲି ପାଖାପାଖି ୧୨୦ ପ୍ରକାରର ପ୍ରଜାତିର ଅଛନ୍ତି।
ମାଇ କୋଇଲି ନିଜର ବସା ନିଜେ ତିଆରି କରେ ନାହିଁ କିନ୍ତୁ ଅତି ଚତୁରତା ସହିତ କାଉ ବସାରେ ନିଜ ଅଣ୍ଡା ଦେଇଥାଏ ଏବଂ କାଉ ତାହାକୁ ନିଜ ଅଣ୍ଡା ଭାବି ଛୁଆ ଫୁଟାଇ ଥାଏ।କୋଇଲି ଛୋଟମୋଟ ପୋକଜୋକ ଖାଇଥାଆନ୍ତି। ବିଶେଷ କରି ଅଧିକ ଛୋଟ ଛୋଟ କୀଟ, ପତଙ୍ଗ ଓ ପିମ୍ପୁଡ଼ି ଆଦି ଖାଇବାକୁ ଭଲ ପାଆନ୍ତି। ଗୁରୁତ୍ବପୂର୍ଣ୍ଣ ଥାହେଉଛି କୋଇଲି କେବେ ବି ମାଟି ଉପରେ ବସି ନ ଥାଏ, ସଦାସର୍ବଦା ସବୁବେଳେ ଗଛ ଉପରେ ହିଁ ରହି ଥାଏ।ଏହି ପକ୍ଷୀ ପାଖାପାଖି ୬ ବର୍ଷ ପଯ୍ୟର୍ନ୍ତ ବଞ୍ଚିପାରିଥାଏ।କୋଇଲିର ସ୍ୱର ସବୁ ପକ୍ଷୀଙ୍କଠାରୁ ସୁମଧୁର ହୋଇଥାଏ। କିନ୍ତୁ କେବଳ ପୁରୁଷ କୋଇଲି ହିଁ ମଧୁର ସ୍ୱର ବାହାର କରିଥାଏ।କୋଇଲିକୁ ଝାଡ଼ଖଣ୍ଡର ରାଜକୀୟ ପକ୍ଷୀ ବୋଲି କୁହାଯାଏ। କୋଇଲି କୁ ନେଇ ଓଡ଼ିଆ ସାହିତ୍ୟରେ ଅନେକ କବିତା ଓ ଚଉତିଶା ଲେଖାଯାଇଛି। ମାର୍କଣ୍ଡ ଦାସଙ୍କ ଦ୍ବାରା ରଚିତ କୋଇଲି ଚଉତିଶା ରେ କୋଇଲିକୁ ସମ୍ବୋଧନ କରି ଶ୍ରୀକୃଷ୍ଣଙ୍କ ବିରହ ବର୍ଣ୍ଣନା କରିଛନ୍ତି ଯାହାକି ଓଡ଼ିଆ ସାହିତ୍ୟର ଏକ ଅମର କୃତି ଅଟେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।