ଭଞ୍ଜନଗର, ୦୧/୧୦(ପିପିଟି ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ,ଅତିରିକ୍ତ ଉପଜିଲ୍ଲାପାଳ ପି. ଟୁଲୀ ଆମ୍ମା, ସହ-ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ପ୍ରାକ୍ତନ ଅଧ୍ୟକ୍ଷ ଡ. ଶିବରାମ ପଣ୍ଡା, ପ୍ରଫେସର କୃତ୍ତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ବିଭୁତି ଭୂଷଣ ଜେନା, ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ,ସହ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଅଲୋଷ୍ଟା ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା ମଞ୍ଚାସୀନ ହୋଇ ଏହି ଦିବସର ମହତ୍ତ୍ଵ , ବରିଷ୍ଠ ନାଗରିକଙ୍କ ସୁସ୍ଥ, ନିରାମୟ ଜୀବନ, ସାମାଜିକ ସୁରକ୍ଷା, ସ୍ୱତନ୍ତ୍ର ଯତ୍ନ, ସମ୍ମାନ, ସ୍ୱାସ୍ଥ୍ୟ, ସହାୟତା ପାଇଁ ରହିଥିବା ଆଇନ ଓ ସରକାରୀ ଯୋଜନା ଉପରେ କହିଥିଲେ l ବରିଷ୍ଠ ନାଗରିକ ଆମ ମାର୍ଗ ଦର୍ଶକ ସାଜିଥିବା ଯୋଗୁଁ ସମ୍ମାନର ସହ ଯେମିତି ରହିଵା ସେ ସମ୍ପର୍କରେ କହିଥିଲେ । ସକାଳ ସମୟରେ ଯୋଗାସନ,ନାତି ନାତୁଣୀଙ୍କ ଗହଣରେ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଭଳି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ୧୭ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ପି ଏମ ଶ୍ରୀ ସରକାରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ନୃତ୍ୟ ଶିଳ୍ପୀ ମୋନାଲିସା ସାବତଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍ୱତନ୍ତ୍ର ଭାବେ ଲୋକକଳା ଦାସକାଠି ନାଚ ମାଧ୍ୟମରେ ସରକାରଙ୍କ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠଙ୍କ ପାଇଁ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ସମେତ ଅଂଚଳର ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ -ଜେ କେ ପଟ୍ଟନାୟକ