ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ଉପରେ ପ୍ରଶାସନିକ ଗୁରୁତ୍ୱ।

0 181

ମାଲକାନଗିରି,୨୧/୦୫(ପିପିଟି):ଜିଲ୍ଲାର ତୃଣମୂଳ ସ୍ତରର ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଗ୍ରାମୀଣ ଚାଷୀଙ୍କ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ କୋରୁକୋଣ୍ଡା ବ୍ଲକ ଗସ୍ତ କରିଛନ୍ତି। ପ୍ରଶାସନିକ ସ୍ୱଚ୍ଛତା ଓ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କ୍ରମରେ, ଜିଲ୍ଲାପାଳ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ସରକାରୀ ହିତାଧିକାରୀ ଭିତ୍ତିକ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମ-ନିଯୁକ୍ତି ସୃଷ୍ଟି ଓ ଦୁଗ୍ଧ, ମାଂସ ଏବଂ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ପ୍ରଶାସନର ମୁଖ୍ୟ ପ୍ରାଥମିକତା ବୋଲି ଏହି ଗସ୍ତ ସମୟରେ ପ୍ରକାଶ ପାଇଛି।

ପରିଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ କୋରୁକୋଣ୍ଡା ଓ ଏହାର ଆଖପାଖ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବହୁମୁଖୀ ପ୍ରାଣୀସମ୍ପଦ ଯୋଜନାଗୁଡ଼ିକର ଭୌତିକ ସ୍ଥିତି ଯାଞ୍ଚ କରିଥିଲେ।ସେ କୋରୁକୋଣ୍ଡାଠାରେ ଚାଲିଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଥିବା ଗୋଟେରୀ ଅର୍ଥାତ୍ ଛେଳି ପାଳନ ୟୁନିଟ୍ ପରିଦର୍ଶନ କରି ଛେଳିଙ୍କ ସ୍ୱାସ୍ଥ୍ୟ ରକ୍ଷା, ଟୀକାକରଣ ଓ ଏହାର ବାଣିଜ୍ୟିକ ପରିଚାଳନା ନେଇ ବୈଷୟିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସ୍ଥାନୀୟ ବଜାରରେ ମାଂସ ଓ ଅଣ୍ଡା ଚାହିଦା ପୂରଣ କରିବା ସହ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ବ୍ରଏଲର ଫାର୍ମିଂ ଏବଂ ହାଚେରୀ ୟୁନିଟ୍‌ର କ୍ଷମତା ଏବଂ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଗୋ-ପାଳନକୁ ଅଧିକ ଲାଭଜନକ କରିବା ପାଇଁ ଗୋ-ଖାଦ୍ୟ ଓ ସବୁଜ ଘାସର ଉପଲବ୍ଧତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ପ୍ରଶାସନ ପକ୍ଷରୁ ପ୍ରୋତ୍ସାହିତ କରାଯାଉଥିବା ଫୋଡର୍ ଆଣ୍ଟ୍ରପ୍ରିନର୍ ବା ଗୋ-ଖାଦ୍ୟ ଉଦ୍ୟୋଗୀ ପ୍ରକଳ୍ପର ଭିତ୍ତିଭୂମି ମଧ୍ୟ ସେ ଅନୁଧ୍ୟାନ କରିଥିଲେ। ଏହି ଗସ୍ତକ୍ରମରେ ଜିଲ୍ଲାପାଳ ଏମଭି-୧୦୯ ଗ୍ରାମକୁ ଯାଇ ସେଠାରେ ଥିବା ବୃହତ ଏମକେୟୁୱାଇ ଗୋ-ପାଳନ ୟୁନିଟ୍ ବୁଲି ଦେଖିଥିଲେ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଏହାର ସଠିକ୍ ସଂଗ୍ରହ ଓ ବଜାର ସଂଯୋଗୀକରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।ସରକାରଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ ନୀତିକୁ ପାଳନ କରି ଜିଲ୍ଲାପାଳ ସେଠାରେ ଉପସ୍ଥିତ ସମସ୍ତ ହିତାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରଗତିଶୀଳ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ହିତାଧିକାରୀମାନେ ସରକାରୀ ସହାୟତା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ନାହିଁ, ସେ ନେଇ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ପଚାରି ବୁଝିଥିଲେ। ଏଥିସହ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ କିଭଳି ଅଞ୍ଚଳର ଅନ୍ୟ ଯୁବକମାନେ ଅନୁପ୍ରାଣିତ ହୋଇପାରିବେ, ସେଥିପାଇଁ ସେ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ସମୀକ୍ଷା ଶେଷରେ ଜିଲ୍ଲାପାଳ ଉପସ୍ଥିତ ଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀମାନଙ୍କୁ କଡ଼ା ପ୍ରଶାସନିକ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଚାଲୁ ରହିଥିବା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ହେବ ଏବଂ ପ୍ରାଣୀ ଚିକିତ୍ସକ ତଥା ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ନିୟମିତ ଭାବେ ହିତାଧିକାରୀଙ୍କ ଫାର୍ମ ପରିଦର୍ଶନ କରି ଚିକିତ୍ସା ସେବା ଯୋଗାଇଦେବେ। ସରକାରୀ ଯୋଜନାର ସବସିଡି ଓ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନ ଯେପରି ହିତାଧିକାରୀଙ୍କ ପାଖରେ ବିନା ବିଳମ୍ବରେ ପହଞ୍ଚିବ, ତାହା ନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ସମୀକ୍ଷା ଗସ୍ତ ସମୟରେ କୋରୁକୋଣ୍ଡା ବ୍ଲକର ବିଡିଓ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.