ମାଲକାନଗିରି, ୦୨/୦୫(ପିପିଟି):ଚଳିତ ବର୍ଷର ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲ୍ଲା ଏକ ଗୌରବମୟ ସଫଳତା ହାସଲ କରିଛି। ଜିଲ୍ଲାର ପାସ୍ ହାର ରାଜ୍ୟର ହାରାହାରି ପାସ୍ ହାର ଠାରୁ ଅଧିକ ରହିବା ସହ ଦକ୍ଷିଣ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ମାଲକାନଗିରି ସର୍ବାଧିକ ଏ ଗ୍ରେଡ୍ ପାଇ ଶୀର୍ଷରେ ରହିଛି। ବିଶେଷ କରି ବାଲିମେଳା ସ୍ଥିତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ନାୟକ ମୋଟ ୫୬୫ ନମ୍ବର (୯୪.୧୬%) ରଖି ଜିଲ୍ଲା ଟପ୍ପର ହୋଇଛନ୍ତି।
ଆଜି ପ୍ରକାଶ ପାଇଥିବା ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲ୍ଲାରୁ ୨୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଅଧିକ ମାର୍କ ରଖି କୃତିତ୍ଵ ଅର୍ଜନ କରିଥିବା ବେଳେ ୬୬ ଜଣ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଯେତେବେଳେ କି ଦକ୍ଷିଣ ଓଡ଼ିଶା ରାଜ୍ୟ ଯଥା ନବରଙ୍ଗପୁର ୯, କୋରାପୁଟ ୧୯, ରାୟଗଡ଼ା ୬ ଓ ଗଜପତି ୬ ଜଣ ୯୦ ପ୍ରତିଶତରୁ ଅଧିକ କୃତିତ୍ଵ ହାସଲ କରିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କୃତିତ୍ୱ ଅର୍ଜନ କରିଥିବା ପିଲାଙ୍କୁ ଓ ବିଦ୍ୟାଳୟକୁ ଶୁଭେଛା ପ୍ରଦାନ କରିବା ସହ କହିଛନ୍ତି ଯେ ଜିଲ୍ଲାର ପାସ୍ ହାର ରାଜ୍ୟର ପାସ୍ ହାରଠୁ ଅଧିକ ଏବଂ ଦକ୍ଷିଣ ଓଡ଼ିଶା ରାଜ୍ୟ ମାନଙ୍କ ଠାରୁ ୮୦ ଓ ୯୦ ପ୍ରତିଶତ ପିଲା ଅଧିକ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜଗନ୍ନାଥ ପ୍ରସାଦ ବେହେରାଙ୍କ ତରଫରୁ ମିଳିଥିବା ଖବର ଅନୁଯାୟୀ ୨୫୫ ପିଲା ଯେଉଁମାନେ ପରୀକ୍ଷା ଦେଇ ପାରିନଥିଲେ ସେମାନେ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପୁନଶ୍ଚ ପରୀକ୍ଷା ଦେବେ ଏବଂ କୃତିତ୍ଵ ଅର୍ଜନ କରି ନଥିବା ୩୯୯ ପିଲା ପୁଣି ଥରେ ସପ୍ଲେମେଣ୍ଟରି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଉଅଛି।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତରେ ସ୍ୱତନ୍ତ୍ର ଆବାସିକ କୋଚିଂ ବ୍ୟବସ୍ଥା ଯାହା କରାଯାଇଥିଲା ତାହାଯୋଗୁଁ ପୂର୍ବ ବର୍ଷଠୁ ଭଲ ଫଳାଫଳ ଆସିଅଛି । ପୁନଶ୍ଚ ଏହି ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ ଆଗାମୀ ପରୀକ୍ଷା ପାଇଁ ଯୋଜନା କରାଯିବ।ସମସ୍ତ ଫଳାଫଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ସଫଳ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ସହ ମାତାପିତାଙ୍କୁ ଖୁବ୍ ଶୀଘ୍ର ସମ୍ବର୍ଦ୍ଧନା ଦେବାର ଆୟୋଜନ କରାଯିବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)