ବାଲିଘାଇ ଆକାଶ ଜେନା ହତ୍ୟା ଘଟଣା, ଗ୍ରାମବାସୀଙ୍କ ପକ୍ଷରୁ ଶବ ରଖି ଟାୟାର ଜାଳି ପ୍ରତିବାଦ।

0 191

ପୋଲସରା ,୨୭/୦୪(ପିପିଟି): ପୋଲସରା ମୁନିସିପାଲଟିର ୫ ନଂ ୱାର୍ଡ ସ୍ଥିତ ବାଲିଘାଇ ଗ୍ରାମରେ ଗତ ୨୫ ତାରିଖ ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ଏକ ହତ୍ୟାଘଟଣା ଘଟିଥିଲା। ଉକ୍ତ ଗ୍ରାମର ବାସିନ୍ଦା ସନ୍ତୋଷ ଜେନାଙ୍କ ପୁତ୍ର ବଡ ରିଙ୍କୁ ଜେନାଙ୍କ ଖୁବ୍ ଧୂମଧାମରେ ଚାଲିଥିବା ବାହାଘର ଶୋଭାଯାତ୍ରା ସମୟରେ ବରର ସାନ ଭାଇ ଆକାଶ ଜେନା (୨୪ କୁ) ସ୍ଥାନିୟ ରାଣୀପଡ଼ାର କିଛି ଯୁବକ ଅତର୍କିତ ଭାବେ ଆକ୍ରମଣ କରି ଚାକୁରେ ପେଟକୁ ଘୁଷି ମରଣାନ୍ତକ ଆକ୍ରମଣ କରି ସେଠାରୁ ଚମ୍ପଟ ମାରି ପଳାଇ ଯାଇଥିଲେ। ପରେ ସଙ୍ଗେ ସଙ୍ଗେ ଆକାଶକୁ ଧରି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା। ପରିଣାମ ୨୬ ତାରିଖ ରବିବାର ଦିନ ଆକାଶ ଜେନାଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସନ୍ଧ୍ୟା ସମୟରେ ଆକାଶ ଜେନାଙ୍କ ମର ଶରୀର ମହାପ୍ରୟାଣ ଗାଡ଼ିରେ ଆସି ପହଞ୍ଚିବାପରେ ଘରେ କାନ୍ଦ ବୋବାଳ ପ୍ରଭାବରେ ଗ୍ରାମରେ ଉତ୍ତେଜନା ବାତାବରଣ ସୃଷ୍ଟି ହୋଇଥିଲା। ପରେ ସନ୍ଧ୍ୟା ପ୍ରାୟ ସାଢ଼େସାତ ଘଣ୍ଟିକା ସମୟରେ ଶବଥିବା ଉକ୍ତ ଗାଡିକୁ ମୃତକଙ୍କ ପରିବାର ସହିତ ଗ୍ରାମବାସୀମାନେ ପୋଲସରା ବାଲିଘାଇ ଫରେଷ୍ଟ କଲୋନୀ ମୁଖ୍ୟ ଛକ ରାସ୍ତାରେ ରଖି ବଡ଼ ବଡ଼ ପଥର ରଖି ମୁଖ୍ୟରାସ୍ତା ଅବରୋଧ କରିଥିଲେ।ଏବଂ ଟାୟାର ଜାଳି ପୋଲିସ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେବାସହ ହତ୍ୟା ଘଟଣାର ସଂପୃକ୍ତ ସମସ୍ତ ବ୍ୟକ୍ତି ଏବଂ ହତ୍ୟାକାରୀକୁ ଅବିଳମ୍ବେ ଗିରଫ କରି ଆଇନଗତ ଦଣ୍ଡ ଓ ଫାଶୀ ଦେବାକୁ ଦାବୀ କରିଥିଲେ। ଏହି ପ୍ରତିବାଦ ଧାରଣା ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲସରା ଥାନା ଭାରପ୍ରାପ୍ତ ଅଧିକାରୀ କୌଶିକ୍ ମାଝୀ, ବୁଗୁଡ଼ା ଥାନା, କୋଦଳା ଥାନା ଓ କବିସୂର୍ଯ୍ୟନଗର ଥାନା ଗୁଡିକର ଅଧିକାରୀଙ୍କ ନେତୃତ୍ୱରେ ଫୋର୍ସ ମୁତୟନ କରାଯାଇଥିଲା। ଏ ମଧ୍ୟରେ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ରଙ୍କ ସମେତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ପହଞ୍ଚି ମୃତକଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ବହୁ କଷ୍ଟରେ ବୁଝାସୁଝା କରି ଧାରଣା ପ୍ରତ୍ୟାହୃତ କରିବାରେ ସଫଳ ହେବା ସହିତ ଆସନ୍ତା ୨୯ ତାରିଖ ସୁଧା ପୂର୍ବରୁ ଗିରଫ କରି ୪ ଜଣ ଅଟକଙ୍କ ସମେତ ଫେରାରଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଲିଖିତ ପ୍ରତିଶୃତି ଦେବା ସହିତ ମୃତକଙ୍କ ଅନ୍ତେଷ୍ଟି ଓ ଶୁଦ୍ଧକ୍ରିୟା କାର୍ଯ୍ୟରେ ସହଯୋଗ ସକାଶେ ରେଡକ୍ରସ୍ ପାଣ୍ଠିରୁ ନଗଦ ପଚାଶ ହଜାର ଅର୍ଥରାଶି ମୃତକଙ୍କ ପରିବାରକୁ ଦେଇ ଉତ୍ତେଜନା ପରିସ୍ଥିତିକୁ ଶାନ୍ତି ଫେରାଇବାରେ ସଫଳ ହୋଇଥିଲେ। ସୂଚନା ଯୋଗ୍ୟ ଯେ,ଏହି ହତ୍ୟାଘଟଣାକୁ ନେଇ ମୃତକଙ୍କ ମାତା ଗୀତାଞ୍ଜଳି ଜେନା ଥାନାରେ ଦେଇଥିବା ଏତଲା ପ୍ରକାରେ ବାଲିଘାଇ ଗ୍ରାମରେ ଗୌରହରି ବିଷୋୟୀ ନାମକ ଯୁବକଙ୍କ ସମେତ ଅନେକ ବ୍ୟକ୍ତି ଯେଉଁମାନେ ତାଙ୍କର ସାନ ପୁଅ ଆକାଶର ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦର୍ଶାଇ ସମସ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଏବଂ ଫାଶୀ ଦେବାକୁ ଦାବୀ କରିବା ପରିପ୍ରେକ୍ଷୀରେ ଏନେଇ ଥାନାରେ କେସ ନଂ ୨୩୮/୨୬ରେ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଚାଲିଛି ବୋଲି ଆଇଆଇସି କୌଶିକ୍ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ସେପଟେ ଗାଁରେ ଶୋକାକୁଳ ପରିବେଶରେ ଗ୍ରାମବାସୀଙ୍କ ସହଯୋଗରେ ମୃତକ ପରିବାର ପକ୍ଷରୁ ଆକାଶ ଜେନାଙ୍କ ବୈଦିକ ରୀତିନୀତି ପ୍ରକାରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମ୍ପନ୍ନ କରାଯାଇଥିବାବେଳେ ବଡ ପୁଅର ବାହାଘର ଉତ୍ସବ ଖୁସି ବଦଳରେ ସାନ ପୁଅର ଏଭଳି ମୃତ୍ୟୁକୁ ନେଇ ପରିବାର ଦୁଃଖର ସାଗରରେ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.