ଭୁବନେଶ୍ୱର, ୨୧/୦୪(ପିପିଟି):ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀ ଜଣେ ସତ୍ୟନିଷ୍ଠ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଭାବେ ଓଡ଼ିଶାର ରାଜନୈତିକ ଇତିହାସରେ ଅମର ରହିବେ।ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ, ନୀତିନିଷ୍ଠ ନେତୃତ୍ୱ ଓ ସମାଜସେବା ଆଜିର ପିଢ଼ି ପାଇଁ ପ୍ରେରଣାଦାୟକ ବୋଲି ତାଙ୍କ ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଛକରେ ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂହ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ସଂସଦର ଉପସଭାପତି ଇଞ୍ଜିନିୟର ଗୋଦାବରିଶ ମିଶ୍ର ଓ ସଂସଦର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ।ଏହାସହ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଡଃ ସଦାଶିବ ତ୍ରିପାଠୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।