ପୋଲସରା ,୧୯/୦୪(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରାରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ନିଜ ରକ୍ତ ସମ୍ପକୀୟ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା ଘଟଣା ଘଟାଇଥିବା ବେଳେ ଏହି ଘଟଣାକୁ ନେଇ ସମଗ୍ର ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (୧୯)। ରାଜଦୀପକୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ପୋଲସରା ଥାନାରେ ସାମ୍ବାଦିକ ସମ୍ମିଳନୀରେ ଥାନ ଅଧିକାରୀ କୌସିକ ମାଝୀ ଦେଇଥିବା ସୂଚନା ମୁତାବକ ଗତ ୧୬ ତାରିଖ ଗୁରୁବାର ଦିନ ମଧ୍ୟାହ୍ନ ପ୍ରାୟ ୨ ଟା ସମୟରେ ରାଜଦୀପକୁ ନିଜ ଗ୍ରାମ ମାଳତେନ୍ତୁଳିଆରେ ଥିବାବେଳେ ସମ୍ପର୍କୀୟ ଭାଇ ସୁବ୍ରତ ଓରଫ (କାଳିଆ) ଫୋନ କରି ୫ ଲକ୍ଷ ଟଙ୍କା ଓ ଏକ ୟମା ମୋପେଡ ଗାଡି ନେଇ ଘରେ ଦେଇଦେବା ପାଇଁ କହି ପୋଲସରା ଡାକିଥିଲା। ପୁଣି କିଛି ସମୟ ପରେ ସୁବ୍ରତ ଓରଫ (କାଳିଆ) ପୁଣି ଦିଗ ବଦଳାଇ ପୋଲସରା ନିକଟସ୍ଥ ରାଣ୍ଡିଘାଇକୁ ଆସିବା ପାଇଁ କହିଥିଲା। କାଳିଆର କଥାମାନି ରାଜଦୀପ ରାଣ୍ଡି ଘାଇ ନିକଟରେ ପହଂଚିବା ପରେ ପୂର୍ବରୁ ଉପସ୍ଥିତ ଥିବା କାଳିଆ ଓ ତାର ସହଯୋଗୀ ସୁବ୍ରତ ପଟ୍ଟନାୟକ ସହ ରାଜଦୀପର ଭେଟ ହେବାପରେ ପୋଲସରାରେ ଗୋଟିଏ ଦିନରେ ଏତେ ଟଙ୍କା ଏଟିଏମରୁ ଉଠାଇବା ସମ୍ଭବ ନୁହେଁ, ତେଣୁ ବ୍ରହ୍ମପୁର ଯିବା ପାଇଁ ଓରଫ (କାଳିଆ) ରାଜଦୀପକୁ କହିଥିଲା। ରାଜଦୀପ ମଧ୍ଯ ସୁବ୍ରତ କଥାରେ ରାଜିହୋଇ ଧନେଇ ଡ୍ୟାମରୁ କୋଦଳା ଅନ୍ତର୍ଗତ କାଲିମେଘି ଦେଇ ବ୍ରହ୍ମପୁର ବାହାରିଥିଲେ। ଏପଟେ ସହଯୋଗୀ ସୁବ୍ରତ ପଟ୍ଟନାୟକ ରାଜଦୀପର ଗ୍ଲାମର ବାଇକ ନେଇ ନିକଟସ୍ଥ ସାବିତ୍ରୀ ବଗଡ଼ କେନାଲରେ ପକାଇଦେଇଥିଲା। ପରେ ସୁବ୍ରତ ରାଜଦୀପକୁ ନେଇ ବ୍ରହ୍ମପୁର ଭଡ଼ାଘରକୁ ନେଇ ସେଠାରେ ତାର ତଣ୍ଟି ଚିପି ହତ୍ୟାକରି ଏକ ବ୍ୟାଗରେ ବ୍ରହ୍ମପୁରରୁ ସୋରଡ଼ା ଥାନା ନିକଟସ୍ଥ ସୋରଡ଼ା ଦାରିଙ୍ଗବାଡି ଘାଟିରେ ଥିବା ସେଲ୍ଫି ପଏଣ୍ଟରେ ରାଜଦୀପର ମୃତ ଶରୀର ଥିବା ଲଗେଜ ବ୍ୟାଗକୁ ଘାଇ ଭିତରକୁ ଫିଙ୍ଗିଦେଇଥିଲେ। ପରବର୍ତୀ ସମୟରେ ଉଭୟ ବ୍ରହ୍ମପୁର ଆସିଥିଲେ। ମୃତକ ରାଜଦୀପ ବାପା ପ୍ରକାଶ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲସରା ଥାନା ପକ୍ଷରୁ ୨୧୪/୨୬ ମାମଲା ରୁଜୁ କରି ଅଭିଯୁକ୍ତ ସୁବ୍ରତ ସାହୁକୁ ପୋଲସରାରୁ ଗିରଫ କରି ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ପଟେ ରାଜଦୀପକୁ ଅପହରଣ କରି ୪୦ ଲକ୍ଷ୍ୟ ଟଙ୍କା ଘଟଣା ବାବଦରେ ପରବର୍ତ୍ତୀ ସମୟରେ ବିସ୍ତୃତ ଭାବେ ସୂଚନା ଦିଆଯିବ ବୋଲି ଥାନା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା