ସମ୍ବଲପୁର,୧୮/୦୪: ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି ।ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତ ର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିଥିଲେ । ତେବେ ସମ୍ବଲପୁର ଜିଲା ମୂଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ପରିବାର ଲୋକେ ଏହା ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ କରିଛନ୍ତି । ସେହିପରି ଗ୍ରାମବାସୀ ମାନେ ମଧ୍ୟ ଏହା ନିଶ୍ଚିତ ଭାବେ ଅଂଶୁଘାତ ଯୋଗୁଁ ମୃତ୍ୟୁ ହୋଇଛି ବୋଲି କହିଛନ୍ତି । ଏଣୁ ସରକାର ତାଙ୍କୁ ଉଚିତ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ କହିଛନ୍ତି ଯେ, ଏ ସମ୍ପର୍କରେ ଆମେ ଖବର ପାଇଛୁ। ଶବ ବ୍ୟବଛେଦ ହେଲା ପରେ ମୃତ୍ୟୁ ର ପ୍ରକୁତ କାରଣ ଜଣାପଡିବ ବୋଲି ଜିଲାପାଳ କହିଛନ୍ତି । ସେହିପରି ଜନତାଙ୍କୁ ଅତି ଆବଶ୍ୟକ ନ ହେଲେ ଖରାରେ ନ ବାହାରିବା ପାଈଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବିଗତ କିଛି ଦିନ ହେବ, ସମ୍ବଲପୁର ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି।