ମାଲକାନଗିରି, ୦୭/୦୪(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏପ୍ରିଲ ମାସର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଜିଲ୍ଲାପାଳ ମୁଖ୍ୟତଃ ପିଏମ ରାହତ ଯୋଜନା ଏବଂ ସୋଲାଟିୟମ ଫଣ୍ଡ ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ସଚେତନ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଆମ୍ବୁଲାନ୍ସର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାସ୍ତା ସୁଧାର ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଜାତୀୟ ରାଜପଥ-୩୨୬ ରେ ଥିବା ସମସ୍ତ ଖାଲଖମା ପୂରଣ କରିବା ସହ ବିପଦଜନକ ବ୍ଲାକ୍ ସ୍ପଟ୍ ଗୁଡ଼ିକ ଚିହ୍ନଟ କରି ତୁରନ୍ତ ଆବଶ୍ୟକୀୟ ସଂସ୍କାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ହ୍ରାସ କରିବା ପାଇଁ ଗାଡ଼ି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ସହ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଏସଡିପିଓ ଦିବ୍ୟଜ୍ୟୋତି ଦଳେଇ ଙ୍କ ସମେତ ସ୍ଵାସ୍ଥ୍ୟ, ଶିକ୍ଷା, ନରର ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ସମସ୍ତ ଘରୋଇ ବସ୍ ମାଲିକ ସଂଘ ର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ରହି ସଡ଼କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ ତୁଷାର ହେମ୍ବ୍ରମ ପରିଚାଳନା କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)