ଆଦାନୀ କମ୍ପାନୀର ମୁନାଫା ପାଇଁ ପ୍ରସ୍ତାବିତ ଅର୍ଥନୈତିକ କରିଡର ଆଦିବାସୀ ଅଂଚଳର ଜଙ୍ଗଲ ଓ ଜମିକୁ ନଷ୍ଟ କରି ଦକ୍ଷିଣ ଓଡ଼ିଶାକୁ ସମ୍ବଳହୀନ କରିବ ।

0 208

ବ୍ରହ୍ମପୁର,୨୧/୦୧(ପିପିଟି) :‘ଲୋକଶକ୍ତି ଅଭିଯାନ’ର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରାୟ ଓ ‘ଅଖିଳ ଭାରତ କିଶାନ ମଜଦୁର ସଭା’ର ଜାତୀୟ ସମ୍ପାଦକ ଭାଳଚନ୍ଦ୍ର ଷଡଙ୍ଗୀ ଆଜି ଏକ ମିଳିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଗୋପାଳପୁର – ଜୟପୁର ଇକୋନୋମିକ କରିଡର (ଅର୍ଥନୈତିକ ଅଳିନ୍ଦ)କୁ ରାଜ୍ୟର ବିଶେଷ କରି ଦକ୍ଷିଣ ଓଡ଼ିଶାର ସାଧାରଣ ଜନତା, କୃଷି,ଜଙ୍ଗଲ ଓ ପରିବେଶ ପାଇଁ ବିନାଶକାରୀ ହେବ କହିଛନ୍ତି। ଗୋପାଳପୁର ବନ୍ଦର ଠାରୁ ଜୟପୁର ପର୍ଯ୍ୟନ୍ତ ପ୍ରାୟ ୩୩୦ କି.ମି ଦୀର୍ଘ ଏହି କରିଡ଼ରଟିରେ ଆଠ ଲେନ ବିଶିଷ୍ଟ ପ୍ରଶସ୍ତ ରାଜପଥ ସହ ସମାନ୍ତରାଳ ଭାବେ ଦୋହରା ରେଳ ଲାଇନ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ୫୦୦ ମିଟରରୁ ଅଧିକ ଓସାର ଓ ୩୩୦ କି.ମି ଲମ୍ବା ବିଶିଷ୍ଟ ଏହି କରିଡ଼ର ପାଇଁ ପ୍ରାୟ ୧୪ ହଜାର ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ଓ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାକୁ ଯାଉଥିବା ଜଣାପଡ଼ିଛି। ଏହାବ୍ୟତିତ ଗଂଜାମ, ଗଜପତି,ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦେଇ ଯିବାକୁ ଥିବା ଏହି କରିଡ଼ର ଫଳରେ ଉପରୋକ୍ତ ଜିଲ୍ଲାର ବିପୁଳ ପରିମାଣର ମୂଲ୍ୟବାନ ଜଙ୍ଗଲ, ଅନେକ ଜଳସ୍ରୋତ ଏବଂ ପର୍ବତ ସହ ସ୍ଥାନୀୟ ଲୋକ ବିଶେଷ କରି ଆଦିବାସୀ ଓ ପାରମ୍ପରିକ ବନଜୀବିମାନଙ୍କ ଗାଁ,ଚାଷ ଜମି ଓ ଜୀବିକା କ୍ଷତିଗ୍ରସ୍ତ ହେବାକୁ ଯାଉଥିବାରୁ ସରକାର ଏଭଳି ଏକ ପ୍ରକଳ୍ପ ପାଇଁ ଆଗକୁ ବଢ଼ିବା ପୂର୍ବରୁ ଏଥିରେ ହେବାକୁ ଥିବା କ୍ଷୟକ୍ଷତିର ଏକ ବୌଜ୍ଞାନ ସମ୍ମତ ଆକଳନ କରି ତା’କୁ ସାର୍ବଜନିନ କରିବାକୁ ଦାବୀ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତମାନ ବ୍ରହ୍ମପୁରରୁ ଜୟପୁର ଯିବା ପାଇଁ ଆନ୍ଧ୍ରପ୍ରଦେଶ ଦେଇ ଏକ ଜାତୀୟ ରାଜପଥ ରହିଛି । ଏହା ସହିତ କୋରାପୁଟ ଜିଲ୍ଲାର ପଟାଙ୍ଗି ଦେଇ ଜୟପୁରକୁ ୬ ଥାକିଆ ବିଶିଷ୍ଟ ବିଶାଖାପାଟଣା- ରାୟପୁର ଭାରତମାଳା ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ସାରିଛି। ପୁନଶ୍ଚ ବ୍ରହ୍ମପୁର ଠାରୁ ରାୟଗଡ଼ା ଦେଇ କୋରାପୁଟକୁ ଯାଇଥିବା ରାଜ୍ୟ ରାଜ୍ୟପଥ ବା କେ.ଭି ଲାଇନ୍‌କୁ ସରକାର ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରି ଜାତୀୟ ରାଜପଥ ରୂପେ ସଂପ୍ରସାରଣ କରାଯିବ ବୋଲି ଇତି ମଧ୍ୟରେ ଘୋଷଣା କରିଛନ୍ତି। ଏହି ରାଜପଥର ଏକ ବଡ଼ ଭାଗ (ଜୟପୁର ଠାରୁ ଦିଗପହଣ୍ଡି ଯାଏଁ) ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ,ବିଜୟାୱାଡ଼ା-ରାଂଚି କରିଡ଼ରର ଅଂଶ ଭାବେ ରହିଛି। ଏଭଳି ପରିସ୍ଥିତିରେ ଦକ୍ଷିଣ ଓଡ଼ଶାର ସାଧାରଣ ଜନତା ଓ ପ୍ରକୃତିର ଏତେ ବଡ଼ କ୍ଷୟତିସାଧନ କରି ଜୟପୁରରୁ ଗୋପାଳପୁରକୁ ଆଉ ଏକ ମେଗା ହାଇୱେ କରିବାର ଆବଶ୍ୟକତା କ’ଣ ପାଇଁ ବୋଲି ପ୍ରଶ୍ନ କରାଯାଇଛି। ଜୟପୁର ଗୋପାଳପୁର ମଧ୍ୟରେ ଯାତ୍ରା ସମୟ କମାଇବା ନାଁରେ ପ୍ରାୟ ୯ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଅର୍ଥନୈତିକ କରିଡର ନାମରେ ସ୍ୱତନ୍ତ୍ର ରାଜପଥ କାହା ସ୍ୱାର୍ଥରେ ନିର୍ମାଣ କରାଯିବ, ତାହା ସରକାର ସ୍ପଷ୍ଟ କରନ୍ତୁ। ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରି ତଥା ୧୪ ହଜାର ଏକରରୁ ଅଧିକ ଚାଷ ଜମି ଓ ଜଙ୍ଗଲକୁ ଶେଷ କରି ଦେଇ ଏଭଳି ଏକ ପ୍ରକଳ୍ପ କରାଯିବା ପଛରେ ଅସଲ ଉଦ୍ଦେଶ୍ୟଟି କେବଳ ବଡ଼ କମ୍ପାନୀଙ୍କ ସ୍ୱାର୍ଥରେ ଅଭିପ୍ରେତ ଅଟେ। କାରଣ ବର୍ତ୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାଲକୋ, ବେଦାନ୍ତ ଓ ବିରଳା ମାଲିକାନାରେ ଥିବା ଉତ୍କଳ ଆଲୁମିନା ପରି ବଡ଼ କମ୍ପାନୀମାନଙ୍କ ମେଗା କାରଖାନା ସବୁ ରହିଛି। ଇତି ମଧ୍ୟରେ ରାଜ୍ୟ ସରକାର ଆଦାନୀ ସମେତ ଅନେକ ଘରୋଇ କମ୍ପାନୀଙ୍କୁ ନିଲାମ ଜରିଆରେ ଅନେକ ଗୁଡ଼ିଏ ଖଣି ଦେଇଥିବାରୁ ଏବଂ ଆଗାମୀ ଦିନରେ ଦେବାକୁ ଯାଉଥିବାରୁ ସେମାନଙ୍କର ମଧ୍ୟ କାରଖାନା ହେବାକୁ ଯାଉଛି। ଉପରୋକ୍ତ କାରଖାନାମାନଙ୍କ ଜରିଆରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଖଣିମାନଙ୍କରୁ ଉତୋଳିତ ଖଣିଜ ପଦାର୍ଥକୁ ପ୍ରକ୍ରୀୟାକରଣ କରି କମ୍ ପରିବହନ ଖର୍ଚ୍ଚରେ ତଥା କମ୍ ସମୟ ମଧ୍ୟରେ ଆଦାନୀର ଗୋପାଳପୁର ବନ୍ଦର ଜରିଆରେ ବିଦେଶକୁ ରପ୍ତାନୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ହେବାକୁ ଯାଉଥିବା ୪ଟି ଜିଲ୍ଲାର ହଜାର ହଜାର ଆଦିବାସୀ,ଚାଷି,କୃଷି ତଥା ପାରମ୍ପରିକ ବନଜୀବୀମାନଙ୍କ ଆର୍ôଥକ ଓ ସାମାଜିକ କ୍ଷୟକ୍ଷତି ଓ ଜଙ୍ଗଲ ଓ ପରିବେଶଗତ କ୍ଷୟକ୍ଷତିର ବିଜ୍ଞାନ ସମ୍ମତ ହିସାବ ସରକାର କରିବା ଏକାନ୍ତ ଜରୁରୀ ।

ପ୍ରସ୍ତାବିତ ରାଜପଥ ଯାଉଥିବା ପୂର୍ବଘାଟ ପର୍ବତ ମାଳାର ଏହି ଜଙ୍ଗଲ ଅଂଚଳ ପରିବେଶ ଓ ଜଳବାୟୁ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ପ୍ରକଳ୍ପ ଫଳରେ ବ୍ୟାପକ ଜଙ୍ଗଲ ନଷ୍ଟ ହେଲେ ସେଥିରେ ଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଜରିଆରେ ନିଜର ବଞ୍ଚୁଥିବା ଆଦିବାସୀମାନଙ୍କ ଜୀବିକା ଲୋପ ପାଇବ। ଏପରିକି ଦୂରତାକୁ ହ୍ରାସ କରିବା ନାଁରେ ରାସ୍ତାରେ ପଡ଼ୁଥିବା ଶତାଧିକ ପାହାଡ଼କୁ ଖୋଳି ବିଶାଳକାୟ ସୁଡ଼ଙ୍ଗ ଖୋଳଯିବାର ଥିବାରୁ ସେସବୁ ପାହାଡ଼ରୁ ବାହାରିଥିବା ଝରଣା ଓ ଜଳସ୍ରୋତ ନଷ୍ଟ ହେବ ଏବଂ ବ୍ୟାପକ ମୂର୍ତିକା କ୍ଷୟ ହେବ। ସମଗ୍ର ଅଞ୍ଚଳରେ ଏହାଫଳରେ ଏକ ଭୂସ୍ଖଳନ ପ୍ରବଣ ଅଂଚଳରେ ପରିଣତ ହେବ। ଜଙ୍ଗଲ ଓ ପାହାଡ଼ କ୍ଷୟ ଫଳରେ ଭୂତଳ ଜଳ ସ୍ତର ବହୁ ପରିମାଣରେ ହ୍ରାସ ପାଇବ। ରାଜ୍ୟର ଦକ୍ଷଣାଂଚଳରେ କାର୍ବନ ଶୋଷଣ କମିଯିବ, ତାପମାତ୍ରାରେ ବୃଦ୍ଧି ହେବ।

ପ୍ରଥମେ ପ୍ରକଳ୍ପ ଦ୍ୱାରା ନିର୍ଦ୍ଦିଷ୍ଟ ଭାବେ କେତେ ଜଙ୍ଗଲ, କେତେ ଚାଷଜମି ଅଧିଗ୍ରହଣ କରାଯିବ, କେତେ ଗ୍ରାମ, ସ୍କୁଲ ଓ କେତେ ପରିବାରକୁ ବିସ୍ଥାପିତ କରାଯିବ ସେ ସମ୍ପର୍କରେ ପ୍ରକୃତ ତଥ୍ୟକୁ ସରକାର ତୁରନ୍ତ ପ୍ରକାଶ କରନ୍ତୁ। ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ପ୍ରଥମେ ଜଙ୍ଗଲ ଅଧିକାର ଆଇନ – ୨୦୦୬ ଓ ପେସା ଆଇନ ଅନୁଯାୟୀ ପ୍ରଭାବିତ ହେବାକୁ ଥିବା ସମସ୍ତ ଗ୍ରାମରେ ଗ୍ରାମସଭାର ସମ୍ମତି ପାଇଁ ଗ୍ରାମ ସଭାର ଆୟାଜନ ନିଶ୍ଚିତ ରୂପେ କରାଯାଉ। ଦୁଇଟି ଜାତୀୟ ରାଜପଥ ଓ ରେଳପଥ ଥିବା ବେଳେ ଏହି ସ୍ୱତନ୍ତ୍ର କରିଡ଼ର ପରେ ଏହି ଅଞ୍ଚଳକୁ ଆଦାନୀ କମ୍ପାନୀର ନିୟନ୍ତ୍ରଣରେ ଯେଉଁ ବହୁମୁଖୀ ପରିବହନ ବ୍ୟବସ୍ଥା ସୃଷ୍ଟି କରାଯିବ ସେଠାରେ ସାଧାରଣ ଲୋକଙ୍କ ଯାନବାହନ ନିଷିଧ ହେବ ଅଥବା ଉଚ୍ଚ ଦାମ ଦେଇ ଯିବାକୁ ହେବ। ଉଭୟ ଆଦାନୀ ଓ ରାଜ୍ୟ ସରକାର ମିଶି ପିପିପି ମାଧ୍ୟମରେ ଏହି ପ୍ରକଳ୍ପଟି କରିବାକୁ ଯାଉଥିବାରୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ କରିଡ଼ରଟି ଆଦାନୀ କମ୍ପାନୀର ନିୟନ୍ତ୍ରଣରେ ହିଁ ରହିବ। ଖଣିଜ ପଦାର୍ଥର ପରିବହନ ଖର୍ଚ୍ଚ କମାଇ ତାର ବ୍ୟବସାୟିକ ମୁନାଫା ପାଇଁ ପ୍ରକୃତିର ହତ୍ୟା ଓ ଲକ୍ଷାଧିକ ଜନତାଙ୍କୁ ବିସ୍ଥାପିତ କରା ନଯାଉ।
ସରକାର ଲୋକଙ୍କ ଅର୍ଥରେ ଘରୋଇ କମ୍ପାନୀର ସ୍ୱାର୍ଥରକ୍ଷା ପାଇଁ ଏପରି ବିନାଶକାରୀ ପ୍ରକଳ୍ପକୁ ପ୍ରତ୍ୟାହାର କରନ୍ତୁ। ଏଭଳି ପ୍ରକଳ୍ପ ଦକ୍ଷିଣ ଓଡ଼ିଶାର ବିକାଶ କରିବା ବଦଳରେ ତାକୁ ଏକଦମ୍ ସମ୍ବଳହୀନ କରିଦେବ। ସମ୍ଭାବିତ ଅପୂରଣୀୟ କ୍ଷୟକ୍ଷତି ଓ ବିସ୍ଥାପିତମାନଙ୍କ ଭବିଷ୍ୟତ ପ୍ରତି ବିଚାର କରି ଏହି ପ୍ରକଳ୍ପ ସମ୍ପର୍କରେ ସ୍ୱର ଉଠେଇବାକୁ ଆମେ ଦକ୍ଷିଣ ଓଡ଼ିଶାର ଜନ ସାଧାରଣ ଓ ରାଜନୈତିକ ଦଳର ନେତୃମଣ୍ଡଳୀକୁ ଆହ୍ୱାନ କରୁଛୁ। ସରକାର ପ୍ରଥମେ ବିଶେଷଜ୍ଞ କମିଟି ଦ୍ୱାରା ଏହାର ଆର୍ଥିକ ଓ ପରିବେଶୀୟ କ୍ଷୟକ୍ଷତିର ମୂଲ୍ୟାୟନ କରନ୍ତୁ ଏବଂ ତାକୁ କେନ୍ଦ୍ର କରି ପ୍ରକଳ୍ପ ଫଳରେ କେତେ ଲାଭ କେତେ କ୍ଷତି ହେବ ତା’କୁ ପ୍ରକାଶ କରନ୍ତୁ। ଏହାପରେ ଜମି ଅଧିକାର ଆଇନ, ଜଙ୍ଗଲ ଆଇନ, ପୋଶ ଆଇନ, ରାଜ୍ୟର ୧୯୫୬ ରେଗୁଲେସନ୍ ୨କୁ ଜମି ଅଧିଗ୍ରହଣ ଆଇନ ୨୦୧୩ ଅନୁଯାୟୀ ଗ୍ରାମସଭାଗୁଡ଼ିକର ସମ୍ମତି ନେଲା ପରେ ପ୍ରକଳ୍ପ ନିଷ୍ପତ୍ତି ନିଆଯାଉ।

Leave A Reply

Your email address will not be published.