ପୋଲସରା ,୦୨/୦୧(ପିପିଟି) :ନବବର୍ଷ ଆଗମନକୁ ନିଆରା ଢଙ୍ଗରେ ସ୍ବାଗତ ଜଣାଇଛି ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ)। ଓୟୁଜେର ଛତ୍ରପୁର ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନଙ୍କ ଉପସ୍ଥିତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲାରେ ରେଡକ୍ରସ ପରିଚାଳିତ ରକ୍ତ ଭଣ୍ଡାରରେ ରକ୍ତର ଅତି ଆବଶ୍ୟକତା ଥିବାରୁ ତାହାକୁ କିଛି ପରିମାଣରେ ସହାୟତା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିଲା। ଓୟୁଜେର ସମ୍ପାଦକ ସନ୍ତୋଷ କୁମାର ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ସ୍ବାଧୀନ ରଥ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ଚିନ୍ମୟ ରଞ୍ଜନ ସ୍ବାଇଁଙ୍କ ନେତୃତ୍ବରେ ପ୍ରଦୀପ ସୁବୁଦ୍ଧି, ସୁଶାନ୍ତ ପାଣିଗ୍ରାହୀ, ରିଙ୍କୁ ସାହୁ, ଗୋପାଳ କୃଷ୍ଣ ସାହୁ, ଡମ୍ବରୁ ବାହାଦୁର କାର୍କୀ ସ୍ବେଛାକୃତ ରକ୍ତ ଦାତାଙ୍କ ଠାରୁ ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଓୟୁଜେ ଛତ୍ରପୁର ଶାଖାର ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ଖୁବ୍ ପ୍ରଶଂସିତ ହୋଇଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା