ଝିପିଝିପି ବର୍ଷାରେ ଓଦା ହେଲା କଟା ଧାନ, ଚାଷୀଙ୍କ ମୁଣ୍ଡରେ ଚିନ୍ତା।

0 221

ବୋଲଗଡ଼,୦୧/୧୨(ପିପିଟି): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଦିନ ଝିପିଝିପି ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଦିନ ସାରା ଲଗାଣ ଝିପିଝିପି ବର୍ଷା ଫଳରେ ଅନେକ ଚାଷ ଜମିରେ କଟା ଧାନ ସବୁ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ବର୍ଷାର ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ତଥାପି ଆବଶ୍ୟକ ବେଳେ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଏବେ କେତେକ ଚାଷୀ ଧାନ ଫସଲ କାଟି ଖଳାରେ ଜମାକରି ରଖିଛନ୍ତି ଏବଂ ଅନେକ ଚାଷୀ ଧାନକୁ କାଟି ଜମିରେ ରଖିଥିବା ବେଳେ ଏଇ ଝିପିଝିପି ବର୍ଷା ଯୋଗୁଁ ତାହା ଓଦା ହୋଇଯାଇଛି । ଏହି ବର୍ଷାର ପ୍ରଭାବରେ ଚଳିତ ବର୍ଷ ବୋଲଗଡ଼ ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଯୋଗୁଁ ଚାଷୀ ଚିନ୍ତାରେ ପଡିଥିବା ଜଣାଯାଇଛି । ଅନ୍ଯପକ୍ଷରେ ଦିନସାରା ମେଘୁଆ ପାଗ ସହ ଝିପିଝିପି ବର୍ଷା ହେତୁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.