ବେଗୁନିଆପଡା,୩୧/୧୦(ପିପିଟି) :ସାମୁଦ୍ରିକ ଝଡ଼ ମୋନ୍ଥା ର ପ୍ରଭାବ ରେ ଲଗାଣ ବର୍ଷା ବନ୍ଦ ହୋଇଯାଇଥିଲେ ସୁଦ୍ଧା ଚାଷୀଙ୍କ ଚିନ୍ତା କମୀନାହିଁ,ଅତ୍ୟଧିକ ବର୍ଷା ଯୋଗୁ ପାଚିଲା ଧାନ ଗଛ ତଳେ ପଡିଯାଇ ତାରି ଉପରେ ପାଣି ସୁଅ କାଟି ଯାଉଛି, ଆଉ କିଛିଦିନ ମଧ୍ୟରେ କୃଷକ ତାର ବର୍ଷ ସାରା କରିଥିବା ଅର୍ଥ ଖର୍ଚ୍ଚ ସହିତ ପରିଶ୍ରମର ମୁଲ ପାଇଥାନ୍ତା,କିନ୍ତୁ ଠିକ ସମୟରେ ସାମୁଦ୍ରିକ ଝଡ଼ “ମୋନ୍ଥା” ସବୁକିଛି ବିଗାଡି ଦେଲା । ପବନର ବେଗ କମ ଥିଲେ ବି ବର୍ଷାର ପ୍ରଭାବ ଅଧିକ ଦେଖାଦେଇଥିଲା । ଫଳରେ ଧାନ କ୍ଷେତ ସହିତ ପରିବା ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ବର୍ଷା ଯୋଗୁ ଦୁଇ ଦୁଇ ଥର ତଳି ପକାଇ ଚାଷୀ ହନ୍ତ ସନ୍ତ ହୋଇଥିବା ବେଳେ ସାର ର ଘୋର ଅଭାବୀରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଚାଷୀ ବର୍ତ୍ତମାନ ବର୍ଷା ବିତ୍ପାତରେ ଭାଙ୍ଗି ପଡିଛନ୍ତି । ଅଧିକାଂଶ ଜମିରେ ଅତ୍ୟଧିକ ଜଳ ପ୍ରବାହ ଏବଂ ଧାନ ପାଚିବା ଅବସ୍ଥାରେ ଥିବା ଯୋଗୁ ସେଗୁଡିକ ପଡିଯାଇଛି ଏବଂ ତାରି ଉପରେ ପାଣି ଚାଲିଛି । ଧାନ କ୍ଷେତରେ ଧାନ ପାଣିରେ ପଡିଯିବା ହେତୁ ସଶ୍ୟ ନଷ୍ଟ ହୋଇଯାଇଛି । ଯେଉଁ ଚାଷୀଙ୍କ ଫସଲ ବୀମା ଅଛି ସେମାନେ ସରକାରଙ୍କ ଦିଆଯାଇଥିବା ୧୪୪୪୭ ଟୋଲ ଫ୍ରି ନମ୍ବର କୁ ଫୋନ କରି ନିଜର ସମସ୍ୟା ଜଣାଉଥିବା ବେଳେ,ଅନ୍ୟ ଚାଷୀମାନେ ଭଗବାନଙ୍କୁ ସ୍ମରଣ କରି ସରକାରୀ ସହାୟତାକୁ ଅପେକ୍ଷ୍ୟା କରିଛନ୍ତି । ଋଣ ଆଣି ଫସଲ କରିଥିବାକୁ ଚେଷ୍ଟା କରିଥିବା ଚାଷୀ ବର୍ତ୍ତମାନ ସାହୁକାର ର ଋଣ କେମିତି ସୁଝିବ,ଭାଗ ଚାଷୀ ସାହୁକାରକୁ କିପରି ମହାଶୂଲ ଦେବ,ବର୍ଷ ସାରା କିପରି ନିଜ ପରିବାରକୁ ଖାଦ୍ୟ ଯୋଗାଇବା ତାକୁ ନେଇ ଚାଷୀକୁଳ ଚିନ୍ତିତ ହୋଇପଡିଛି । ଏ ନେଇ ସରକାର ଚାଷୀ କୂଳକୁ ସାହା ହୋଇ ସେମାନଙ୍କ ଜମି ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରି ପ୍ରକୃତ କ୍ଷତିଗ୍ରସ୍ଥ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)