ଜାତୀୟ ପ୍ରେସ ଦିବସ ଓ ସାମ୍ବାଦିକତା।

0 0

ବୋଲଗଡ଼,୧୬/୧୧(ପିପିଟି)୧୯୬୬ ମସିହାରେ ଗଠିତ ପ୍ରେସ କାଉନସିଲ ଅଫ ଇଣ୍ଡିଆରେ ପ୍ରତିଷ୍ଠାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ତାରିଖରେ ଜାତୀୟ ପ୍ରେସଦିବସ ପାଳନ କରାଯାଇଥାଏ। ଜାତୀୟ ପ୍ରେସ୍ ଦିବସ ଶୁଭେଚ୍ଛା ଭିତରେ କିଛି କୁହା କଥା ଅଛି, ଆଉ ବହୁତ କିଛି ଅକୁହା କଥା ବି ଅଛି, ଯାହା ଆଜି କହିବାକୁ ହେବ। ଆମେ ସାମ୍ବାଦିକ ସମାଜର ଆଇନା। ଲୋକଙ୍କ ଲୁହକୁ ସରକାରଙ୍କ ଆଖି ଆଗରେ ରଖୁ। କାହା ଘର ଭାଙ୍ଗିଲା, କାହା ପୋଖରୀ ପୋତା ହେଲା, କେଉଁ ସ୍କୁଲରେ ଛାତ୍ରଟି ପେଟ୍ରୋଲ ନିଆଁରେ ଜଳିଗଲା ସବୁ ଆମେ ଲେଖୁ। ଆମ କଲମ ମୁନରେ ଲୋକଙ୍କ ଭରସା ଅଛି। ଏହା ଆମର ଗର୍ବ, ଏହା ଆମର ପରିଚୟ।

ଅକୁହା କଥାଟି ହେଉଛି ଏହି କଲମ ଧରିଥିବା ହାତ ଭିତରେ କେତେ ଯନ୍ତ୍ରଣା ଅଛି, ତାହା କେହି ଦେଖେ ନାହିଁ। ଦିନ ସାରା ଖବର ପଛରେ ଦୌଡୁଥିବା ପୁଅଟି ଯେତେବେଳେ ରାତିରେ ଥକି ଥକି ଘରକୁ ଫେରେ, ତା’ର କୁନି ପିଲାଟି ପଚାରେ ବାପା, ଆଜି ପ୍ରେସ ଦିବସରେ ତମକୁ କିଏ ମନେ ପକାଇଲା ?
ଆମ ପାଖରେ ଉତ୍ତର ନଥାଏ।

ଆମେ ସରକାରୀ ହେଉ ଅବା ବେସରକାରୀ ବାବୁଙ୍କୁ ପ୍ରଶ୍ନ କରୁ, ହେଲେ ଆମକୁ କିଏ ପ୍ରଶ୍ନ କରିବ ? ଆମର ସୁରକ୍ଷା କେଉଁଠି ? ଆମର ପରିଚୟ ପତ୍ରଟା ବି ଅନେକ ଜାଗାରେ ଅପମାନିତ ହୁଏ। ତହସିଲ ଅଫିସରେ କୁହନ୍ତି “ଭିଡିଓ କରିବନି, ୧୯୨୩ ଆକ୍ଟ ଲଗାଇଦେବୁ”। ଥାନାରେ କୁହନ୍ତି “ବେଶୀ ଲେଖିବନି”। ସତ ଲେଖିଲେ ଧମକ, ମିଛ ନ ଲେଖିଲେ ଅଭିମାନ। ଏହା ଭିତରେ ଆମେ ବଞ୍ଚିଛୁ। ତଥାପି ଆମେ ଲେଖୁଛୁ। କାହିଁକି ଜାଣନ୍ତି ? କାରଣ ଆମେ ବିଶ୍ୱାସ କରୁ ଗୋଟିଏ ଖବର ହଜାରେ ଜୀବନ ବଦଳାଇ ପାରେ। ଆମ ଗୋଟିଏ ଲେଖା ଗୋଟିଏ ପୋଖରୀକୁ ବଞ୍ଚାଇ ପାରେ, ଗୋଟିଏ ଛାତ୍ରର ଜୀବନ ବଞ୍ଚାଇ ପାରେ। ତେଣୁ ଆଜି ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ମୋର ଅନୁରୋଧ ଆସନ୍ତୁ, ଗୋଷ୍ଠୀ ବିବାଦ ଭୁଲି ଗୋଟିଏ ମଞ୍ଚରେ ଠିଆ ହେବା। କଲମକୁ ବିକ୍ରି କରିବା ନାହିଁ, କଲମକୁ ସାଧାରଣ ଲୋକଙ୍କ ସ୍ୱର କରିବା। ସମାଜର ଉନ୍ନତି ପାଇଁ, ଜନ ସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଆମ କଲମ ମୁନ ଆହୁରି ଧାରୁଆ କରିବା। ସତ୍ୟ ହାରେ ନାହିଁ, ସାମ୍ବାଦିକ ହାରେ ନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.