ଜୁନାଗଡ଼,୨୪/୧୦(ପିପିଟି) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟ ମାନଙ୍କ ପ୍ରଥମ ସ୍ୱାଧୀନ ସରକାର “ଆଜାଦ ହିନ୍ଦ ସରକାର” ର ୮୩ ତମ ପ୍ରତିଷ୍ଠା ଦିବସ ଅବସରରେ ନେତାଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ” ପକ୍ଷରୁ ଏକ ରାଜ୍ୟସ୍ତରୀୟ ସଂକଳ୍ପ ସମ୍ମିଳନୀ ଗତ ଅକ୍ଟୋବର ୧୯ ତାରିଖରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡସ୍ଥିତ ସହିଦ ରେଣ୍ଡୋ ମାଝୀ ସଂସ୍କୃତି ଭବନ ପରିସରରେ ଆରମ୍ଭ ହୋଇ ଅକ୍ଟୋବର ୨୧ ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଫରୱାର୍ଡ଼ ବ୍ଲକର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଗୟାରମ ପୂଜାରୀ ଫରୱାର୍ଡ଼ ବ୍ଲକ ସଂଗ୍ରାମୀ ପତାକାକୁ ଉତ୍ତୋଳନ କରିଵା ପରେ ଆରମ୍ଭ ହୋଇଥିବା ଏହି କାଯ୍ୟକ୍ରମକୁ ବରଗଡ ଜିଲ୍ଲାର ମହିଳା ଶ୍ରମିକ ସବିତା ମିର୍ଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ କ୍ୟାପଟେନ ଲଷ୍ମୀ ଇନ୍ଦିରା ପଣ୍ଡାଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଗତ ତିନି ଦିନ ଧରି ଜୁନାଗଡ଼ ଠାରେ ଚାଲିଥିବା ଏହି ସଂକଳ୍ପ ସମ୍ମିଳନୀର ପ୍ରଥମ ଦିବସରେ ଫରୱାର୍ଡ଼ ବ୍ଲକର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦେବବ୍ରତ ବିଶ୍ୱାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାରାଦେଶ ଆଜି ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି । ସାଧାରଣ ଜନତାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି । ଦେଶର ଅର୍ଥନୀତି ସଂକଟମୟ ସ୍ଥିତିରେ ଥିବା ବେଳେ ଜନଜୀବନକୁ ଏହା ପ୍ରଭାବିତ କରୁଛି । କୃଷି ଓ କୃଷକ ର ସମସ୍ୟା ରେ ଜର୍ଜରିତ ଭାରତୀୟ କୃଷକ ଶ୍ରେଣୀ କୃଷି ଓ କୃଷକର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିଛି । ଆମ ଦେଶର ପ୍ରାକୃତିକ ସମ୍ପଦ ଧୀରେ ଧୀରେ କମ୍ପାନୀମାନଙ୍କ ନିୟନ୍ତ୍ରଣକୁ ଚାଲିଯିବା ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ହେଲାଣି । ଶିକ୍ଷା ବ୍ୟବସ୍ଥାର ଅଧୋପତନ ସାଙ୍ଗକୁ ବେକାରୀ ଓଡିଶା ସମେତ ସାରା ଦେଶରେ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି । ଏହା ବିରୁଦ୍ଧରେ ନେତାଜୀ ସୁଭାଷଙ୍କ ପ୍ରଦର୍ଶିତ ମାର୍ଗରେ ସଂଗ୍ରାମ ହିଁ ଏକମାତ୍ର ରାସ୍ତା ଓ ସୁଭାଷବାଦୀ ବିଚାରଧାରା ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ବିଶ୍ୱାସ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଫରୱାର୍ଡ଼ ବ୍ଲକର ଜାତୀୟ ସମ୍ପାଦକ ସଂଜୟ ଭଟାଚାର୍ଜି ଯୋଗଦେଇ ପୁଞ୍ଜିତନ୍ତ୍ର ଭାରତ ବର୍ଷର ଜନଜୀବନକୁ ନିଜର ସ୍ୱାର୍ଥରେ ଅସ୍ତବ୍ୟସ୍ତ କରୁଥିଵା ବେଳେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ମାର୍ଗରେ ସାଧାରଣ ମଣିଷଙ୍କ ସ୍ୱାର୍ଥରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଫରୱାର୍ଡ଼ ବ୍ଲକ ର ସାଥିମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସମ୍ବାଦ ଖବର କାଗଜର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ଯୋଗଦେଇ ନେତାଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗରେ ହିଁ ଦେଶ ଓ ଦେଶବାସୀଙ୍କର ସଠିକ ବିକାଶ ସମ୍ଭବପର ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ବକ୍ତବ୍ୟରଖି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ନୀତି ଯୋଗୁଁ ପ୍ରାକୃତିକ ସମ୍ପଦରେ ଭରପୁର ଓଡିଶା ଓ ଓଡ଼ିଶାର ଜନତା ଗରିବ ଓ ଅବହେଳିତ ଅବସ୍ଥାରେ ରହିଛନ୍ତି । ଜନତାଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ସାମଗ୍ରିକ ବିକାଶ ପାଇଁ ନେତାଜୀ ସୁଭାଷଙ୍କ ପ୍ରଦର୍ଶିତ ମାର୍ଗରେ ସାଲିସ ବିହୀନ ସଂଗ୍ରାମ ହିଁ ଏକମାତ୍ର ରାସ୍ତା ବୋଲି ପ୍ରକାଶ କରିଵା ସହ ବିଭିନ୍ନ ପ୍ରସଙ୍ଗ ଉପରେ ପାର୍ଟିର ଆଗାମୀ ଦିନର ସଂଗ୍ରାମ ପାଇଁ ସଂକଳ୍ପ ପତ୍ର ପାରିତ କରାଇଥିଲେ ।
ଦ୍ୱିତୀୟ ଦିବସରେ ବିଶିଷ୍ଠ କବି, ସାହିତ୍ୟିକ ତଥା ପୂର୍ବତଟ ରେଳବାଇର ପୂର୍ବତନ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ,ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର,ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦେଶର ଜନଗଣଙ୍କ ସମସ୍ୟା,ବେକାରୀ, ସାପ୍ରଦୟୀକତାବାଦ ଓ ମହିଳା ହିଂସା, ଦୁର୍ନୀତି ଆଦି ବିଷୟ ଉପରେ ବକ୍ତବ୍ୟ ରଖି ଉପସ୍ଥିତ ଯୁବକଯୁବତୀ ଓ ଫରୱାର୍ଡ଼ ବ୍ଲକ ର କର୍ମୀମାନଙ୍କୁ ସାମ୍ବିଧାନିକ ଅଧିକାର ଓ ବିଧିବ୍ୟବସ୍ଥାର ସୁରକ୍ଷା ପାଇଁ ନେତାଜୀଙ୍କ ଧାରାରେ ଜନ ପ୍ରତିବାଦ ଗଢି ତୋଳିବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ଉପସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସର୍ବେଶ୍ୱର ମିଶ୍ର, କୋଷାଧକ୍ଷ ଶମ୍ଭୁ ପ୍ରସାଦ ମହାନ୍ତି, ରାଜ୍ୟ କମିଟି ସଭ୍ୟ ଲଷ୍ମୀ ଦୋରା, ସୁଶାନ୍ତ କୁମାର ସୁନା, ଲଷ୍ମୀଧର ଗିରି, ନିରଞ୍ଜନ ଭୋଇ,ସୁନାଧର ଆଜାଦ ହିନ୍ଦ ବାହିନୀର ସମ୍ପାଦିକା ସୁବତୀ ଆଜାଦ, ଷ୍ଟୁଡେଣ୍ଟସ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ,ଛାତ୍ରୀ ନେତ୍ରୀ ରିଙ୍କି ସାହୁ,ଛାତ୍ରନେତା ରାଜୁ ମାଡକାମୀ,ଯୁବନେତା ତୋଫାନ ହିଆଲ, ମହିଳା ନେତ୍ରୀ ନିଶା ଭୁକ୍ତା, ପ୍ରମୁଖ ବକ୍ତବ୍ୟ ରଖିବା ସହ ବିଭିନ୍ନ ପ୍ରସ୍ତlବମାନ ଆଗତ କରିଥିଲେ । ଆଜାଦ ହିନ୍ଦ ସରକାର ର ୮୩ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜାଦ ହିନ୍ଦ ବାହିନୀର ଏକ ଶୋଭା ଯାତ୍ରା ସଂସ୍କୃତି ଭବନ ରୁ ବାହାରି ଜୁନାଗଡ଼ ବଜାର ପରିକ୍ରମା କରିବା ପରେ ଆଜାଦ ହିନ୍ଦ ସରକାର ର ପତାକାକୁ ଉତ୍ତୋଳନ କରାଯାଇ ଥିଲା । ଏହି ଅବସରରେ ଦେଶର ୭୯ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଜନଗଣଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚlଇବାରେ ବିଭିନ୍ନ ସରକାର ବ୍ୟର୍ଥ ହୋଇଛନ୍ତି ବୋଲି ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ନିଜ ବକ୍ତବ୍ୟରେ ଅଭିଯୋଗ କରିଥିଲେ । ନେତାଜୀ ସୁଭାଷଙ୍କ ସପ୍ନ ଥିଲା ପରାଧୀନତାରୁ ମୁକ୍ତି ପରେ ଭାରତବର୍ଷରେ ଜନତାଙ୍କର ଶାସନ ପ୍ରତିଷ୍ଠା ହେବ । ଫଳରେ ଅବହେଳିତ ଗରିବ ମଣିଷଙ୍କୁ ଯନ୍ତ୍ରଣାରୁ ମୁକ୍ତ ମିଳିବ । ଆଜି ତାହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି । ଏଥିପାଇଁ ସୁଭାଷବାଦୀ ଦର୍ଶନ ଏକମାତ୍ର ବିକଳ୍ପ ବୋଲି ଏହି ଅବସରରେ ବକ୍ତାମାନେ ମତବ୍ୟକ୍ତ କରିବା ସହ ସୁଭାଷବାଦୀ ଦର୍ଶନର ଆଧାରରେ ଭୋକ,ଭୟ ଓ ଭ୍ରଷ୍ଟାଚାରରୁ ମୁକ୍ତି ସହ ଜନତାଙ୍କୁ ସରକାରୀ ପ୍ରାୟୋଜିତ ଶୋଷଣ ଜନିତ ଯନ୍ତ୍ରଣା ରୁ ମୁକ୍ତି ମିଳିପାରିବ ଏବଂ ନେତାଜୀଙ୍କ ସ୍ୱପ୍ନର ଓଡିଶା ତଥା ଭାରତ ବର୍ଷ ଗଢି ତୋଳାଯାଇ ପାରିବ ବୋଲି ବକ୍ତା ମାନେ ନିଜ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଫରୱାର୍ଡ଼ ବ୍ଲକ ପକ୍ଷରୁ ‘ ମୋ ପରିବାର – ନେତାଜୀ ପରିବାର ‘ ଅଭିଯାନ କାର୍ଯ୍ୟକ୍ରମର ଅୟାରମ୍ଭ କରିଥିଲେ ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ପରିବାର କୁ ନେତାଜୀଙ୍କ ବିଚାରଧାରା ସହିତ ଯୋଡ଼ି ରାଜ୍ୟରେ ଫରୱାର୍ଡ଼ ବ୍ଲକ ଓ ଏହାର ଗଣ ସଂଗଠନ ମାନଙ୍କୁ ସଶକ୍ତ କରାଯିବା ପାଇଁ ଉଦ୍ୟମ କରାଯିବ ।ଅପରାହ୍ନରେ ଫରୱାର୍ଡ଼ ବ୍ଲକର ପତାକା ଅବତରଣ କରାଯିବା ସହ ସଂକଳ୍ପ ସମ୍ମିଳନୀ ଉଦଯାପିତ ହୋଇଥିଲା ।