ବିଜେପିର ଓଡ଼ିଆ ଅସ୍ମିତା ଡାକରା ମୂଲ୍ୟହୀନ ।

0 204

ମାଲକାନଗିରି,୦୯/୧୦(ପିପିଟି): ମାଲକାନଗିରି ଜିଲ୍ଲା ଏକ ଉପାନ୍ତ ଅଞ୍ଚଳ ଭାବେ ଓଡ଼ିଶାର ମାନଚିତ୍ରରେ ଅବସ୍ଥିତ ଯାହାକି ସର୍ବବିଦିତ। ଏହାର ସୀମାନ୍ତକୁ ସ୍ପର୍ଶ କରୁଛି, ଆନ୍ଧ୍ର ପ୍ରଦେଶ , ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ । ସୀମାବର୍ତ୍ତୀ ଅଞ୍ଚଳଗୁଡିକରେ ଓଡ଼ିଆ ଭାଷା ବିପନ୍ନ କହିଲେ ଚଳେ। ଅନ୍ୟାନ୍ୟ ଦୃଷ୍ଟି କୋଣରୁ ଓଡ଼ିଆ ଭାଷା କହିବା ଲୋକ ସଂଖ୍ୟା ମଧ୍ୟ ନଗଣ୍ୟ। କେବଳ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଆଞ୍ଚଳିକ ଭାଷାରେ ଅନୁବାଦିତ କରି ପଢାଯାଏ। ଯେପରି ଇଂରାଜୀ ବିଷୟକୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାରେ ଅନୁବାଦ କରି ପଢାଯାଏ। ସେହି ପରି ମାଲକାନଗିରି ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର ସୁରକ୍ଷା ଗୁରୁଦାୟିତ୍ଵ ଜିଲ୍ଲା ପ୍ରଶାସନର । ବିଗତ ୨୪ ବର୍ଷ ବିଜେଡି ଶାସନରେ ଓଡ଼ିଆ ଭାଷା କୁ ଯେପରି ସରକାରୀ କଳରେ ଅଣଦେଖା କରାଯାଇଥିଲା, ବର୍ତ୍ତମାନ ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ବହନ କରି ଆସିଥିବା ବିଜେପି ସରକାରରେ ସ୍ଥିତି ମଧ୍ୟ ତଦୃପ। ଓଡ଼ିଆ ଭାଷାକୁ ସରକାରୀ ଅଧିକାରୀମାନେ ଗୁରୁତ୍ଵ ଦେଉନଥିବା ଜଣା ପଡ଼ିଛି। ଖୁଦ୍ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠିରୁ ପ୍ରତୀୟମାନ ହେଉଛି। ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଗତ ୬.୧୦.୨୦୨୫ ତାରିଖ ରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ଯାଳୟ ସମଗ୍ର ଶିକ୍ଷା ଚିଠି ଖଣ୍ଡେ ଇଂରାଜୀରେ ଲେଖି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପ୍ରେରିତ କଲେ। ମାଲକାନଗିରି ବ୍ଲକ ଅନ୍ତର୍ଗତ ଝରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପଦଯାତ୍ରା “ଆସ ସ୍କୁଲ ଯିବା” କାର୍ଯ୍ୟ କ୍ରମ ଆସନ୍ତା ୧୦.୧୦.୨୦୨୫ ତାରିଖ ସକାଳ ୧୦ଟା ସମୟରେ ଅନୁଷ୍ଠିତ ହେବ। ଏଥିରେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଇତ୍ୟାଦି ଯୋଗଦେବେ। ଏଣୁ ଛାପା ଓ ବୈଦ୍ୟୁତିକ ସାମ୍ବାଦିକ ଆବଶ୍ୟକ। ଏହି ଚିଠିଟି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପହଞ୍ଚିଲା ପରେ ହ୍ବାଟସପ୍ ମଧ୍ୟମରେ ସାମ୍ବାଦିକକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସେହି ଚିଠି ତଳେ ଧାଡିଏ ଇଂରେଜୀ ଭାଷାରେ ଲେଖି ଅବଗତ କରାଇଲେ। ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ଓଡ଼ିଶା ଭାଷାକୁ ଗୁରୁତ୍ୱ ନ ଦେଇ ଇଂରାଜୀ ଭାଷାକୁ ଏତେ ଗୁରୁତ୍ୱ ଦେଉଛନ୍ତି। ତେବେ ଓଡ଼ିଆ ଭାଷାର ଅସ୍ମିତା ଆସିଲା କୁଆଡୁ ବୋଲି ପ୍ରଶ୍ନ ଉଠୁଛି।
ସେହି ପରି ଅଧିକାଂଶ ସମୟରେ ବନଖଣ୍ଡ କାର୍ଯ୍ୟାଳୟରୁ ଖବର ପ୍ରସାରଣ ଲାଗି ଯେଉଁ ଲେଖାଟି ହ୍ବାଟସପ୍ ମାଧ୍ୟମରେ
ତାହା ସର୍ବଦା ଇଂରାଜୀରେ ଲେଖି ସାମ୍ବାଦିକଙ୍କୁ ଖବର ପ୍ରକାଶିତ କରିବାକୁ ପ୍ରେରିତ କରା ଯାଉଛି। ଅନ୍ୟାନ୍ୟ କାର୍ଯ୍ୟାଳୟ ମଧ୍ୟ ଇଂରେଜୀ ଭାଷାକୁ ଅଧିକ ପ୍ରୀତି କରି ଓଡ଼ିଆ ଭାଷାକୁ ଅଣଦେଖା କରା ଯାଉଛି। ତେବେ ଏଭଳି ଅଧିକାରୀ ମାନଙ୍କ ପ୍ରତି କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାଧାରଣରେ ଦାବି ହେଉଛି। ଯଦି କୌଣସି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକରେ ନାମଫଳକ ଓଡ଼ିଆ ଭାଷା ରେ ଲେଖିବା ପାଇଁ ବାଧ୍ୟ କରା ଯାଉଛି। ନ ଲେଖିଲେ ଜୋରିମାନାର ବ୍ୟବସ୍ଥା କରାଯାଇଛି। ତେବେ ଯେଉଁ ସରକାରୀ ଅଧିକାରୀ ମାନେ ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରଦତ୍ତ ଚିଠି ପତ୍ର କୁ ଇଂରେଜୀ ଭାଷାରେ ଆଦାନ ପ୍ରଦାନ କାହିଁକି କରୁଛନ୍ତି ? ଏଥି ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ନିରବ ଦ୍ରଷ୍ଟା କାହିଁକି? ଆଉ ଓଡ଼ିଆ ଅସ୍ମିତା ବିଜେପିର ଗଲା କୁଆଡେ ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.