ହରଭଙ୍ଗା,୦୪/୦୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସମ୍ପ୍ରତି ୟୁରିଆ ସାରର କଳାବଜାରୀ ଯୋଗୁଁ ଚାଷୀ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶୀକାର ହେଉଛନ୍ତି । ସାରର ଏଭଳି କୃତ୍ରିମ ଅଭାବ ଫଳରେ ଚାଷୀ ନିଜର ଚାହିଦା ପୂରଣ ପାଇଁ ୫୦ କେଜି ୟୁରିଆ ସାର ବସ୍ତାକୁ ୨୭୦ ଟଙ୍କାରେ କିଣିବା ବଦଳରେ ଅଢେଇଗୁଣା ଅଧିକ ଚଢାଦର ଅର୍ଥାତ୍ ୭ଶହ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି । ୟୁରିଆ ସାରର ଏପରି କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ମାତ୍ର ସାର କଳାବଜାରୀ ପଛରେ ମାଷ୍ଟରମାଇଣ୍ଡ କିଏ ତାକୁ ପ୍ରଶାସନ ଚିହ୍ନଟ କରିବାର ଆବଶ୍ୟକତା ରହିଛି ।ବିଶେଷକରି ଚଳିତବର୍ଷ ସରକାରୀ ଏବଂ ବେସରକାରୀ ଡିଲର ମାନଙ୍କୁ କେତେ ପରିମାଣର ସାର ଯୋଗାଯାଇଛି ।ବର୍ତମାନ ସୁଦ୍ଧା କେଉଁ ଡିଲର କେତେ ପରିମାଣର ସାର ଆଣିଛନ୍ତି ଏବଂ କେତେ ସାର ବିକ୍ରୀ ହୋଇଛି ଏହା ଉପରେ କଡା ଛାନଭିନ୍ ଆବଶ୍ୟକତା ରହିଛି । ବିଶେଷତଃ ଡିଲର ଦୋକାନ ଗୁଡିକରେ ସାରରବିକ୍ରୟ ମୂଲ୍ୟ ଏବଂ ଷ୍ଟକ ସର୍ମ୍ପକରେ ସୂଚନା ଫଳକ ମାଧ୍ୟମରେ ସୂଚିତ କରିବାର ଆବଶ୍ୟକତା ରହିଛି । ଏପରିକି ପ୍ୟାକ୍ସ ଗୁଡିକ ଉଠାଇଥିବା ସାର ମଧ୍ୟରୁ କେଉଁ ଚାଷୀ କେତେ ପରିମାଣର ସାର କ୍ରୟ କରିଛନ୍ତି । ସେ ଦିଗରେ ତଦନ୍ତ ଆବଶ୍ୟକତା ରହିଛି । ଅନ୍ୟପଟେ ଅନେକ ବେସରକାରୀ ଡିଲର ନିଜ ନାଁରେ ଲାଇସେନ୍ସ ରଖି ଅନ୍ୟ ଦ୍ୱାରା ସାର ବିକ୍ରୟ ଯୋଗୁଁ ଅଧିକ କଳାବଜାରୀର ସୁଯୋଗ ସୃଷ୍ଟି ହେଉଛି । ଏଭଳି ବେନିୟମ କାର୍ଯ୍ୟରେ ଲିପ୍ତଥିବା ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯିବାକୁ ଚାଷୀ ମହଲରୁ ମଧ୍ୟ ଦାବୀ ହେଉଛି ।ସାରର କୃତ୍ରିମ ଅଭାବକୁ ନେଇ ଜିଲ୍ଲାରେ ରାଜନୈତିକ ବାତାବରଣ ସରଗରମ ହୋଇପଡିଥିବା ବେଳେ ଚାଷୀଙ୍କ ଚାହିଦା ଅନୁସାରେ ଆଗକୁ ସାର ନ ମିଳିଲେ ଜିଲ୍ଲାରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ ପାଇଁ ସଜବାଜ ଚାଲିଥିବା ମଧ୍ୟ ଶୁଣିବାକୁ ମିଳୁଛି । ହେଲେ ଏଠି ପ୍ରଶ୍ନଉଠୁଛି ଯେ ଜିଲ୍ଲାରେ ଆବଶ୍ୟକତାଥିବା ୫ହଜାର ୫ଶହ ମେଟ୍ରିକ ଟନ୍ ୟୁରିଆ ସାରରୁ କେଉଁ ପ୍ୟାକ୍ସ କେତେ ପରିମାଣର ସାର ଉଠାଇଛନ୍ତି । ବେସରକାରୀ ଡିଲର ମାନେ କେତେ ପରିମାଣର ସାର ଉଠାଇଛନ୍ତି ତାହା ସାଧାରଣ ଲୋକେ ଜାଣିବାର ମଧ୍ୟ ଆବଶ୍ୟକତା ରହିଛି ।ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ସାର ବିକ୍ରୟ ପାଇଁ ୧୩ଟି ପ୍ୟାକ୍ସ ଏବଂ ୩୭ଟି ବେସରକାରୀ ଦୋକାନୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ମାତ୍ର କେଉଁ ଡିଲର ବର୍ତମାନ ସୁଦ୍ଧା କେତେ ୟୁରିଆ ସାର ଉଠାଇଛନ୍ତି । ସେଥିରୁ କେତେ ବିକ୍ରୟ ହୋଇଛି । ଆଉ କାହା ପାଖରେ କେତେ ଗଛିତ ରହିଛି । ସେ ଦିଗରେ ଖୋଳତାଡ ହେବାର ଜରୁରୀ ରହିଛି ।ଅନ୍ୟପଟେ କୃଷି ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯିବାର ମଧ୍ୟ ଆବଶ୍ୟକତା ରହିଛି । ଯାହାଫଳରେ ୟୁରିଆ ସାର କଳାବଜାରୀ ଉପରେ ରୋକ ଲଗାଯାଇ ପାରିବ ବୋଲି ଚାଷୀ ମହଲରୁ ଦାବୀ ହେଉଛି ।