ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନାର ପ୍ରସ୍ତୁତି ବୈଠକ ।

0 0

ଯାଜପୁର, ୨୩/୦୯(ପିପିଟି):ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନା ଅଧୀନରେ ସାଂସ୍କୃତିକ ଦଳଗୁଡ଼ିକର ଅଭିଲେଖ, ତଥ୍ୟ ପ୍ରକ୍ରିୟା ପରିଚାଳନା ଏବଂ ଅଡିସନ୍ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ମୋହନ ଚରଣ ମଲ୍ଲିକ ଯୋଜନାର ଅଗ୍ରଗତି ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେ ସୂଚନା ଦେଇଥିଲେ ଯେ, ପୂର୍ବତନ ସିଟିଏମଏସ (CTMS) ଯୋଜନାର ଏକ ସଂଶୋଧିତ ରୂପ ଭାବେ ଗତ ଅଗଷ୍ଟ ୧୬ ତାରିଖ (୧୬.୦୮.୨୦୨୬) ଦିନ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ‘ଆମ କଳାକାର’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାରେ ପଞ୍ଜୀକରଣ ପାଇଁ ବର୍ଦ୍ଧିତ ଶେଷ ତାରିଖ ୧୬.୦୯.୨୦୨୬ ଥିଲା ଏବଂ ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୪୭୫ଟି ଆବେଦନକୁ ଅନୁମୋଦନ କରାଯାଇଛି।

ବୈଠକରେ ମୁଖ୍ୟତଃ ଏହି ପଞ୍ଜୀକୃତ ସାଂସ୍କୃତିକ ଦଳଗୁଡ଼ିକର ଅଡିସନ୍ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ (ADM) ଯୁଧିଷ୍ଠିର ନାୟକ ଉପସ୍ଥିତ ଥିବା ସମସ୍ତ ବ୍ଲକସ୍ତରୀୟ କଳା ସଂସ୍କୃତି ସଂଘର ଉପସଭାପତିମାନଙ୍କୁ ଆଗାମୀ ଦଶହରା ଛୁଟି ସୁଦ୍ଧା ଅଡିସନ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଶେଷ କରିବାକୁ ପରାମର୍ଶ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ଜିଲ୍ଲା ସ୍ତରୀୟ ଅଡିସନ୍ ମଧ୍ୟ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଜାନକୀ ହେମ୍ବ୍ରମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO) କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଟିଡିଓ (TDO) ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.