ପୋଲସରା ,୩୧/୦୮(ପିପିଟି) : ଆଜି ପୋଲସରା ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଉତ୍ସବ ଦିବସ ହୋଇଯାଇଛି। ଗତ ନିର୍ବାଚନରେ ଦେଇଥିବା ରାଜ୍ୟ ବିଜେପି ସରକାର ନିଜର ପ୍ରତିଶୃତି ପାଳନ କରିଛନ୍ତି। ସମଗ୍ର ରାଜ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ- ୨୦୨୫ ପାଳନ ହୋଇଯାଇଥିବାବେଳେ ୧୨୪ ନଂ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୋଲସରା ଏଵଂ ବୁଗୁଡ଼ା ଏନ୍ଏସିରେ ମଧ୍ୟ ବହୁ ଧୁମଧାମ ଭବ୍ୟ ଦିବ୍ୟ ସହକାରେ ପାଳିତ ହୋଇଥିଲା। ଏହି ଅବସରରେ ପୋଲସରା ସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏନ୍ଏସି ପକ୍ଷରୁ ଏକ ସୁନ୍ଦର ବର୍ଣ୍ଣାତ୍ୟ ସଭା ଏଵଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଅଣକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ,ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ପ୍ରମୋଦ କୁମାର ରଥ ଏବଂ ସମ୍ମାନୀତ ଅତିଥିଭାବେ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ,ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ,ପୋଲସରା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୂଷଣ ମହାପାତ୍ର, ପୁରୁଷୋତ୍ତମପୁର ପୋଲିସ ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ସୁଜିତ କୁମାର ନାୟକ, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଉପରୋକ୍ତ ଗୋପବନ୍ଧୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ଓ ଉପରପାଳ ବିଷ୍ଣୁପ୍ରିୟା ସାହୁ,ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା,ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ଓ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଏ. ନୀଳମାଧବ ଆଚାରି,ପୋଲସରା ଏନ୍ଏସି ନଗରପାଳ/ଉପନଗରପାଳ ସଂଗୀତା ବେହେରା ଓ ସନ୍ତୋଷ କୁମାର ବେହେରା ଏଵଂ ୧୯ ଗୋଟି ୱାର୍ଡର କାଉଁନସିଲରମାନେ ଯୋଗଦେଇଥିଲେ। ସଭା କାର୍ଯ୍ୟକ୍ରମକୁ ମନ୍ତ୍ରୀ ଏବଂ ଅନ୍ୟସମସ୍ତ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ପରେ ଏନ୍ଏସି ତରଫରୁ ସମସ୍ତ ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ବାଗତ ଏଵଂ ପାର°ପାରିକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଅତିଥିବୃନ୍ଦ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ଵ, ଉଦ୍ଦେଶ୍ୟ,ଲକ୍ଷ୍ୟ ଏଵଂ ପୋଲସରା ସହରର ସର୍ବାଙ୍ଗିନ ଉନ୍ନତି ଏବଂ ବିକାଶକୁ ନେଇ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଆଭାସି ଜରିଆରେ ଭୁବନେଶ୍ବରରେ ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ନୂତନ ଏନ୍ଏସି ଏବଂ ମୁନିଶିପାଲିଟି ଘୋଷଣା କରିବା ପରିପ୍ରେକ୍ଷୀରେ ପୋଲସରାକୁ ମଧ୍ୟ ମୁନିଶିପାଲିଟିଭାବେ ଘୋଷଣା କରିଥିଲେ। ଏହି ଘୋଷଣା ଶୁଣିବାପରେ ସମଗ୍ର ପୋଲସରାରେ ଖୁସିର ଲହଡ଼ି ଖେଳିଯିବା ସହ ବାଣଫୁଟାଇ ସ୍ବାଗତ ଜଣାଇଥିଲେ। ଏଥିସହ ମଞ୍ଚରେ ଉପସ୍ଥିତ ମନ୍ତ୍ରୀ, ସା°ସଦ, ବିଡ଼ିଓଙ୍କୁ, ଏନ୍ଏସି ତରଫରୁ ନଗରପାଳ, ଉପନଗରପାଳଙ୍କ ସମେତ ସମସ୍ତ କାଉଁନସିଲରବୃନ୍ଦ ସମସ୍ତେ ସ୍ଵତନ୍ତ୍ରଭାବେ ଅଭିନନ୍ଦନ ଏବଂ ଧନ୍ୟବାଦ୍ ଜଣାଇଥିଲେ। ଏହି ସମୟରେ ମନ୍ତ୍ରୀ ମହୋଦୟ ନିଜର ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ,ପ୍ରଧାନମନ୍ତ୍ରୀ ଓ ରାଜ୍ୟନଗର ଉନ୍ନୟନ ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିବାସହିତ ନୂତନଭାବେ ମୁନିଶିପାଲିଟିର ମାନ୍ୟତା ପାଇଥିବା ପୋଲସରାର ସର୍ବାଙ୍ଗିନ ଉନ୍ନତି ଏବଂ ବିକାଶ ପାଇଁ ଦଳମତ ନିର୍ବିଶେଷରେ ପରଷ୍ପର ମତଭେଦ ଭୁଲି ଐକବଦ୍ଧ ଭାବେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ପରେ ପୂର୍ବରୁ ଅନୁଷ୍ଠିତ “ସ୍ୱାୟତ୍ତ ଶାସନ ଦିବସ” ବିଷୟକୁ ନେଇ କେବଳ ଏନ୍ଏସି ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଏନ୍ଏସି ତରଫରୁ ଟ୍ରଫି ଏଵଂ ପ୍ରଶ°ସାପତ୍ର ଏଵଂ ସରକାରଙ୍କ ଯୋଜନା ଅନ୍ତର୍ଗତ ଆବାସ ଯୋଜନାର କାର୍ଯ୍ୟାଦେଶ, ଖାଉଟିକାର୍ଡ ଏଵଂ କାମଧେନୁ ଯୋଜନାରେ ୧୦୭ ଜଣ ମହିଳାଙ୍କୁ ୫ କୋଟି ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଦିବସର ପ୍ରତ୍ୟୁଷରୁ ପୂର୍ବାହ୍ନ ସମୟ ମଧ୍ୟରେ ଏନ୍ଏସି ପକ୍ଷରୁ ରାମଧୂନ୍,ଜାତୀୟ ପତାକା ଉତ୍ତଳୋନ,ସଫେଇ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ପୋଷାକ ବଣ୍ଟନ,ସହରସ୍ଥିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଏଵଂ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କାର୍ଯ୍ୟ ସଂପୂଣ୍ଣ କରାଯାଇଥିଲା। ସଂପୂଣ୍ଣ କାର୍ଯ୍ୟକ୍ରମଟି କାର୍ଯ୍ୟନିର୍ବାହୀ ଅଧିକାରୀ, କୈଳାସ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବାବେଳେ କାର୍ଯ୍ୟାଳୟର ସମସ୍ତ ଷ୍ଟାଫ୍ ଓ କର୍ମଚାରୀଙ୍କ ସମେତ ମଂଚ ପରିଚାଳନାରେ ଷ୍ଟାଫ୍ ଭଗବାନ ପ୍ରଧାନ, ଯୁବ ସାହିତ୍ୟିକ ଦେବାଶିଷ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛୋଟ ଛୋଟ ପୁଅ ଓ ଝିଅମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା