ଏଫ୍.ଏମ୍. ମହାବିଦ୍ୟାଳୟ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମିଳିତ ବିରୋଧୀ ଦଳ ତରଫରୁ ଭୁବନେଶ୍ୱରରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା, ୧୭ ଜୁଲାଇ ଓଡ଼ିଶା ବନ୍ଦ ପାଇଁ ଆହ୍ଵାନ ।
ଭୁବନେଶ୍ବର,୧୫/୦୭(ପିପିଟି):ଫକୀର ମୋହନ ମହାବିଦ୍ୟାଳୟର ଜନୈକା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ,ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଛି।ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯାଉ । ନୈତିକତା ଦୃଷ୍ଟି ରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ଵର ସାଂସଦ,ବିଧାୟକ, ଜିଲ୍ଲାପାଳ ଏବଂ ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
ଏହି ଦାବିରେ ମିଳିତ ବିରୋଧୀ ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ ହୋଇଛି। ଏହି ମିଳିତ ପଟୁଆର ଏବଂ ଶ୍ରଦ୍ଧାଞ୍ଜଳୀ ସଭାରେ ରେ କଂଗ୍ରେସ ଦଳ ତରଫରୁ ସସ୍ମିତା ବେହେରା, ସୁଦର୍ଶନ ଦାଶ,ସି ପି ଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ,ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ସି ପି ଆଇ (ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ,ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ ସମେତ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ,ଶିଶିର ହୁଇ, ଯମେଶ୍ୱର ସାମନ୍ତରା, ଜୟନ୍ତ ଦାସ, କ୍ଷୀରୋଦ କୁମାର ସିଂହଦେଓ, ପ୍ରଶାନ୍ତ ମିଶ୍ର,ପ୍ରଦୀପ୍ତ ନାୟକ,ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ,ମହେନ୍ଦ୍ର ପରିଡ଼ା, ପ୍ରଫୁଲ୍ଲ ସାମନ୍ତରା, ଦେବ ପ୍ରସାଦ ରାୟ ଏବଂ ଲକ୍ଷ୍ମୀ ଦୋରା, ସୁବତୀ ଆଜାଦ,ରିଙ୍କି ସାହୁ,ଇଜନ ବଜ, ରାଜୁ ମାଡ଼କାମୀ ଓ ଅଭିରାମ ପାଙ୍ଗି ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।