ହୀରାକୁଦ ବନ୍ଧକୁ ମିଳିବ ନୂଆ ପରିଚୟ , ୱାଟର ସିମ୍ଫୋନି, ଲେଜର୍ ଶୋ’ ଓ ପ୍ରୋଜେକ୍ସନ୍ ମ୍ୟାପିଂ ସାଜିବ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ।ଳ୍ମ
ଭୁବନେଶ୍ୱର, ୨୭/୧୧(ପିପିଟି) : ଓଡ଼ିଶାର ଐତିହାସିକ ହୀରାକୁଦ ବନ୍ଧ ଖୁବ୍ଶୀଘ୍ର ଜଳ ଐତିହ୍ୟ ଓ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ନୂଆ ପରିଚୟ ହାସଲ କରିବାକୁ ଯାଉଛି। ଏଥିପାଇଁ ୯୯.୯୦ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ଡ୍ୟାମ୍ ସଂଗ୍ରହାଳୟ ଓ ଆଗମନ ପ୍ଲାଜା ନିର୍ମାଣ କରାଯାଉଛି। ୱାଟର ସିମ୍ଫୋନି, ଆଲୋକ ଓ ଲେଜର୍ ଶୋ’ ସହ ପ୍ରୋଜେକ୍ସନ୍ ମ୍ୟାପିଂ ଏହି ପ୍ରକଳ୍ପର ପ୍ରମୁଖ ଆକର୍ଷଣ ହେବ। ରାଜ୍ୟ ପୁଞ୍ଜି ନିବେଶ ପାଇଁ ସ୍ୱତନ୍ତ୍ର ସହାୟତା (SASCI) ଯୋଜନା ଅଧୀନରେ ଜଳ ସମ୍ପଦ ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜଳ ସମ୍ପଦ ବିଭାଗ ଅଧୀନସ୍ଥ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ୍) ଏହାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ନେଇଛି।
ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହେବ ହୀରାକୁଦ ଡ୍ୟାମ୍ ସଂଗ୍ରହାଳୟ। ଏଠାରେ ବନ୍ଧ ନିର୍ମାଣର ଇତିହାସ, ଏହାର ଯାନ୍ତ୍ରିକ ଦକ୍ଷତା ଏବଂ ଓଡ଼ିଶାର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳବିଦ୍ୟୁତ୍ ଉତ୍ପାଦନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏହାର ଅବଦାନକୁ ପ୍ରଦର୍ଶିତ କରାଯିବ। ପର୍ଯ୍ୟଟକଙ୍କ ଆଗମନକୁ ସୁବିଧାଜନକ କରିବା ପାଇଁ ଏକ ଆଧୁନିକ ଆଗମନ ପ୍ଲାଜା ମଧ୍ୟ ନିର୍ମାଣ ହେଉଛି। ଏଥିରେ ସପିଂ କମ୍ପ୍ଲେକ୍ସ, ଫୁଡ୍ କୋର୍ଟ, ପାର୍କିଂ ବ୍ୟବସ୍ଥା, ଆଧୁନିକ ଶୌଚାଳୟ ଓ ସବୁଜ ପରିବେଶ ପାଇଁ ବିଭିନ୍ନ ସୁବିଧା ରହିବ। ଏହାଦ୍ୱାରା ପର୍ଯ୍ୟଟକଙ୍କୁ ଉନ୍ନତ ସେବା ମିଳିବା ସହ ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କ ପାଇଁ ନୂଆ ଜୀବିକାର ସୁଯୋଗ ସୃଷ୍ଟି ହେବ।
ଏହି ପ୍ରକଳ୍ପର ଅନ୍ୟତମ ଆକର୍ଷଣ ହେବ ଜଳ, ଆଲୋକ ଓ ସଙ୍ଗୀତର ଅପୂର୍ବ ସମନ୍ୱୟରେ ପରିବେଷିତ ୱାଟର ସିମ୍ଫୋନି ଏବଂ ଲେଜର୍ ଶୋ’। ପ୍ରୋଜେକ୍ସନ୍ ମ୍ୟାପିଂ ଜରିଆରେ ହୀରାକୁଦ ବନ୍ଧର ଐତିହାସିକ ଗୁରୁତ୍ୱ ଓ ଯାନ୍ତ୍ରିକ ଗୌରବକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରାଯିବ। ବର୍ତ୍ତମାନ ସଂଗ୍ରହାଳୟ, ଆଗମନ ପ୍ଲାଜା, ୱାଟର ସିମ୍ଫୋନି, ଲେଜର୍ ଶୋ’ ଓ ପ୍ରୋଜେକ୍ସନ୍ ଟାୱାର ସମେତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ହୀରାକୁଦ ବନ୍ଧ କେବଳ ଏକ ଜଳସମ୍ପଦ ଓ ଇଞ୍ଜିନିୟରିଂ ଐତିହ୍ୟ ଭାବେ ନୁହେଁ, ବରଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ଭାବେ ମଧ୍ୟ ଉଭା ହେବ। ଏହା ସହିତ ଓଡ଼ିଶାର ଜଳ ଐତିହ୍ୟକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ସ୍ଥାନୀୟ ଅର୍ଥନୀତିକୁ ନୂଆ ଗତି ଦେବାର ଆଶା ରହିଛି।