ଭଞ୍ଜନଗର ୨୬/୦୬(ପିପିଟି) : ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଆସନ୍ତା ଜୁନ ୩୦ ତାରିଖରେ ଅବସର ନେଉଛନ୍ତି । ତେଣୁ ବୁଧବାର ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଛି ଭଞ୍ଜନଗର ସାମ୍ବାଦିକ ସଂଘ । ଏହି ସମ୍ବର୍ଦ୍ଧନା ସଭା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭଞ୍ଜନଗର ସ୍ଥିତ ‘ଓ କରିମ୍’ ରେଷ୍ଟୁରାଣ୍ଟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଶ୍ରୀ ଶତପଥୀଙ୍କୁ ସଂଘ ଦ୍ଵାରା ଉପଢୌକନ, ପୁଷ୍ପ ଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଭଞ୍ଜନଗର ରେ ଶ୍ରୀ ଶତପଥୀଙ୍କ କାର୍ଯ୍ୟକାଳ ମଧ୍ୟରେ ସାମ୍ବାଦିକମାନଙ୍କ କ୍ଷେତ୍ରରେ ବହୁ ପଦକ୍ଷେପ ନେଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସୁଧାର ଆଣି ସୁପରିଚାଳନା କରିଛନ୍ତି । ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ ଭଳି ବହୁ କାର୍ଯ୍ୟକ୍ରମରେ ତାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସେହିପରି ରାଜ୍ୟସ୍ତରୀୟ ବିପ୍ଳବୀ ବୀର ଚକରା ବିଷୋୟୀ ଜୟନ୍ତୀ ପାଳନ ବେଳେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିଲା । ଜିଲ୍ଲାପାଳଙ୍କ ଜନ ଶୁଣାଣି ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଆଗୁଆ ସୂଚନା ସାମ୍ବାଦିକ ମାନଙ୍କୁ ସର୍ବଦା ପ୍ରଦାନ କରୁଥିଲେ । ନିଜ କର୍ତ୍ତବ୍ୟରେ କେବେ ସେ ଅବହେଳା କରିନାହାନ୍ତି । ଏଥିପାଇଁ ଭଞ୍ଜନଗର ସାମ୍ବାଦିକ ମାନେ ଶ୍ରୀ ଶତପଥୀଙ୍କୁ ସାଧୁବାଦ ଜଣାଇବା ସହ ଅବସର ପରେ ମଧ୍ୟ ସମୟ ମିଳିଲେ ସାମ୍ବାଦିକ ମାନଙ୍କ ସଂସ୍ପର୍ଶରେ ରହି ବିଭିନ୍ନ କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ଶତପଥୀ ମଧ୍ୟ ସାମ୍ବାଦିକ ମାନଙ୍କ ଅନୁରୋଧ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବୁଧବାର ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଗ୍ରନ୍ଥାଗରିକ ପ୍ରଦୀପ କୁମାର ପାତ୍ରଙ୍କ ସହ ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଜୟକୃଷ୍ଣ ପଟ୍ଟନାୟକ, ରାଜେଶ କୁମାର ପଣ୍ଡା, ଧନଞ୍ଜୟ ପଟ୍ଟନାୟକ, ଭବାନୀ ଶଙ୍କର ପାଳ ଏବଂ ସୁବ୍ରତ କୁମାର ଦାଶ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)