ପବିତ୍ର ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

0 175

ମାଲକାନଗିରି,୨୦/୦୬(ପିପିଟି) :ମାଲକାନଗିରି ସଦର ମହକୁମାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଓ ତହସିଲଦାର ଟିକୁନୁ ପୁତା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ରଥର ମାନ ଠିକ ଅଛି ନା ନାହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓଗୃହ ନିର୍ମାଣ ବିଭାଗଙ୍କୁ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଛି । ଯାନ ବାହନ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଯାଇଛି । ଆଶୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ୍ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ଥିବା ନିମନ୍ତେ କୁହାଯାଇଛି । ସହରର ପ୍ରମୁଖ ଛକ ଜାଗାରେ ପାଣି ଟ୍ୟାଙ୍କ ଓ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ ପିଏଚଡିଙ୍କୁ ଅନୁରୋଧ କରାଯାଇଛି । ସେହିପରି ଉକ୍ତ ଦିନ ରଥ ଟଣା ସମୟରେ ଏମ୍ବୁଲେନ୍ସ ସହ ଜଣେ ଆୟୁଷ ଡାକ୍ତର ରହିବା ସହିତ ଆଗାମୀ ୨୭.୦୬.୨୦୨୫ ତାରିଖ ଠାରୁ ବାହୁଡା ଯାତ୍ରା ଅର୍ଥାତ ୫.୭.୨୦୨୫ ତାରିଖ ପର୍ଯ୍ୟନ୍ତ ସକାଳ ୮ଟା ଠାରୁ ରାତି ୧୦ ଘଟିକା ସମୟ ପର୍ଯ୍ୟନ୍ତ ମେଡ଼ିକାଲ ଟିମ୍ ଉପସ୍ଥିତ ରହିବେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ମାଲକାନଗିରି ଜିଲ୍ଲାପାଳ ଛେରା ପହଁରା କରିବେ । ଜଗନ୍ନାଥଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ମାଲକାନଗିରିଙ୍କୁ ଦାୟିତ୍ଵ ପ୍ରଦାନ କରାଯାଉଛି। ଏନଏସଏସ ଓ ଏନସିସି ଛାତ୍ର ଛାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିୟୋଜିତ କରିବା ପାଇଁ କୁହାଯାଇଛି ।
ଆଜିର ପ୍ରସ୍ତୁତି ବୈଠକରେ ଟାଉନ୍ ଥାନା ଅଧିକାରୀ,ଅଗ୍ନିଶମ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ସହକାରୀ ଯନ୍ତ୍ରୀ, ପିଏଚଡି, ଟିପିଏସଓଡିଏଲର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିରର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତହସିଲଦାର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.