କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର” ସମସ୍ତ ଶ୍ରମଜୀବୀଙ୍କ ମୈାଳିକ ଅଧିକାର: ସାଥୀ ଶିବରାମ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ୪ର୍ଥ ସ୍ମାରକୀ ବକ୍ତୃତାମାଳାରେ ମତପ୍ରକାଶ ।
ଭୁବନେଶ୍ଵର,୨୮/୦୫(ପିପିଟି): ଶ୍ରମଜୀବୀ ଜନସାଧାରଣଙ୍କ ଲଢ଼ୁଆ ସାଥୀ ତଥା ବସ୍ତିବାସିନ୍ଦାଙ୍କ ଜୀବନ-ଜୀବିକା ତଥା ଅଧିକାର ଲଢେ଼ଇରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା କମ୍ରେଡ ଶିବରାମଙ୍କ ସ୍ମୁତିରେ ୪ର୍ଥ ସ୍ମାରକୀ ବକ୍ତୃତାମାଳା ଲୋହିଆ ଏକାଡେମୀ ପରିସରରେ ଆଜି ଆୟୋଜିତ ହୋଇଯାଇଛି।
ସାଥୀ ଶିବରାମ ସ୍ମୃତି କମିଟି ପକ୍ଷରୁ “କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର” ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ବକ୍ତୁତାମାଳାରେ ଉତ୍କଳ ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଶିବ ଶଙ୍କର ମହାନ୍ତି ତାଙ୍କର ମତବ୍ୟକ୍ତ କରିଥିଲେ।
ବକ୍ତୁତାମାଳାର ଶୀର୍ଷକର ପ୍ରାସଙ୍ଗିକତା ଉପରେ ଆଲୋଚନା କରି ବକ୍ତା ଅଧ୍ୟାପକ ଶିବ ଶଙ୍କର ମହାନ୍ତି କହିଥିଲେ ଯେ, “କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର” ବିଷୟ କେବଳ ବସ୍ତିବାସିନ୍ଦାଙ୍କ ପାଇଁ ନୁହେଁ କିମ୍ବା ଅଣ-ସଂଗଠିତ ଶ୍ରମିକଙ୍କ ପାଇଁ ନୁହେଁ, ଏହା ସମସ୍ତ ଶ୍ରମଜୀବୀଙ୍କ ପାଇଁ କାର୍ଯ୍ୟକାରୀ ହେବା ଆବଶ୍ୟକ। ସେ କହିଥିଲେ ଯେ ଯେତେବେଳେ ତଥାକଥିତ ବିକାଶର କଥା ଉଠେ, ସେତେବେଳେ ଶ୍ରମିକଙ୍କ ବ୍ୟତୀତ ବିକାଶର କଥା ଚିନ୍ତା କରାଯାଇ ପାରିବ ନାହଁ। କିନ୍ତୁ ସବୁ ସମୟରେ ବିକାଶର ବାଇମୁଣ୍ଡି ଭାବରେ ପରିଚିତ ଶ୍ରମିକ ମାନଙ୍କୁ ସଦାସର୍ବଦା ଉପେକ୍ଷିତ ହୋଇ ବଞ୍ଚିବାକୁ ପଡ଼ିଥାଏ। ନିଜ ବାସସ୍ଥାନ ନିକଟରେ କାମ ପାଇ ପାରୁନଥିବା କିମ୍ବା କର୍ମସ୍ଥଳୀ ନିକଟରେ ବାସସ୍ଥାନର ସୁଯୋଗ ପାଉନଥିବା ସମସ୍ୟା ଦିନକୁଦିନ ବଢ଼ି ଚାଲିଛି। ବିଶେଷ କରି ସହରାଞ୍ଚଳର ଘରୋଇ ମହିଳା ଶ୍ରମିକ ମାନଙ୍କ ଠାରୁ ଆରମ୍ଭ କରି ବସ୍ତିବାସିନ୍ଦା, ଯେଉଁମାନେ ସହରର “ଜୀବନରେଖା” ଭାବରେ ପରିଚିତ, ସେମାନଙ୍କ ପାଇଁ କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଶ୍ରମିକଙ୍କ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ଥିବା (ବାସଗୃହ, ପାନୀୟ ଜଳ, ପରିମଳ, ସ୍କୁଲ ଓ ସ୍ବାସ୍ଥ୍ୟସେବା) ଉପଲବ୍ଧ ଥିଲେ ଶ୍ରମିକଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ଓ ବିକାଶର ପ୍ରକୃତ ପରିଭାଷା କାର୍ଯ୍ୟକାରୀ ହୋଇପାରେ । ତାହା ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ହେଉ, କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ମତବ୍ୟକ୍ତ କରିଥିଲେ ଏବଂ ଏକ ଗଣତାନ୍ତ୍ରିକ ଓ ଜନ ମଙ୍ଗଳ ରାଷ୍ଟ୍ରର ଏହା ଦାୟିତ୍ଵ । କିନ୍ତୁ ଆଜିର ରାଷ୍ଟ୍ର ବ୍ୟବସ୍ଥା ପୁଞ୍ଜିର ଏଜେଣ୍ଟ ଭାବରେ କାମ କରୁଥିବାରୁ ଏବଂ ପୁଞ୍ଜିବାଦୀ ବ୍ୟବସ୍ଥା, ଏକ ମାନବବାଦୀ-ଗଣତାନ୍ତ୍ରିକ ବିକାଶ ନୀତିକୁ ପରିହାର କରି ପୁଞ୍ଜି ବିନିଯୋଗରୁ ସର୍ବାଧିକ ଲାଭକୁ ଗୁରୁତ୍ୱ ଦେଉଥିବାରୁ ତାହା ଆଜି ସୁଦୁର ପରାହତ। ପୁଞ୍ଜି ବିନିଯୋଗର ସେହି ଲାଭ ଓ ଲୋଭ ଉଦ୍ଦେଶ୍ୟକୁ ପରିପୁରଣ କରିବା ପାଇଁ ବସ୍ତି ବାସିନ୍ଦାଙ୍କୁ କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର ଦେବା ବଦଳରେ ସେମାନଙ୍କୁ ବଳପୂର୍ବକ ବିସ୍ଥାପିତ କରାଯାଉଛି, ଆଦିବାସୀଙ୍କୁ ସେମାନଙ୍କ ଜମି ଓ ଜଙ୍ଗଲରୁ ଉଚ୍ଛେଦ କରାଯାଉଛି। ଏହିସବୁ ଦିଗ ଗୁଡିକୁ ଦୃଷ୍ଟି ଦେଇ ଆମକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସ୍ମୁତି କମିଟିର ସଭାପତି ତଥା ବସ୍ତି ସୁରକ୍ଷା ମଞ୍ଚର ଉପଦେଷ୍ଟା ବିଶ୍ୱପ୍ରୀୟ କାନୁନଗୋଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବସ୍ତି ସୁରକ୍ଷା ମଞ୍ଚର ସଭାପତି ହେନାରାଣୀ ଏବଂ ମାନବବାଦୀ- ହେତୁବାଦୀ ସଂଗଠନର ବାସନ୍ତୀ ଆଚାର୍ଯ୍ୟ, ତପନ ପାଢୀ, ଦେବ ରଞ୍ଜନ, ବିରଞ୍ଚି ବରିହା, ରାଧାକାନ୍ତ ସେଠୀ, ସୁରେନ୍ଦ୍ର ତାପସୁ, ବିକ୍ରମ ମଳିକ, ଅପର୍ଣ୍ଣା ନାୟକ ପ୍ରମୁଖ ସେମାନଙ୍କ ପ୍ରଶ୍ନ ଓ ମତାମତ ଉପସ୍ଥାପନ କରିଥିଲେ।