ଛାତ ଅଛି, ଭାତ ନାହିଁ,ଚାରି ଝିଅକୁ ନେଇ ଅନ୍ଧାରରେ ଆଲୁଅ ଖୋଜୁଛି ବିଧବାର ଆଖି।

0 22

ବୋଲଗଡ଼, ୨୨/୧୦ (ପିପିଟି): ସରକାରୀ ଖାତାରେ ସେ ଜଣେ ହିତାଧିକାରୀ, ବାସ୍ତବତାରେ ସେ ଜଣେ ବେସାହାରା ମା’। ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଛାତ ଅଛି, ହେଲେ ସେ ଛାତ ତଳେ ଜଳୁଥିବା ଛ ଟି ପେଟର ନିଆଁକୁ ଲିଭାଇବାକୁ ଦାନା ନାହିଁ। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ମାଣିକପୁର ଗ୍ରାମର ନିବାସୀ ପ୍ରଧାନ (୩୮) ଙ୍କ କରୁଣ କାହାଣୀ। ତିନି ବର୍ଷ ତଳେ ନିୟତି ତାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଥିଲା। ସ୍ୱାମୀ ମାଉଥ୍ କ୍ୟାନସର ରାକ୍ଷସ ସହ ଯୁଦ୍ଧ କରି ହାରିଗଲେ, ଆଉ ପଛରେ ଛାଡିଗଲେ ଏକ ସାଗର ଭଳି ଦାୟିତ୍ୱ। କୋଳରେ ଚାରି ଚାରି ଝିଅ ଜଣେ ତୃତୀୟ ଶ୍ରେଣୀରେ ବର୍ଣ୍ଣବୋଧ ଶିଖୁଛି, ଜଣେ ସପ୍ତମରେ ସ୍ୱପ୍ନ ବୁଣୁଛି, ଜଣେ ଦଶମରେ ଭବିଷ୍ୟତ ସହ ଲଢୁଛି ଆଉ ବଡ଼ ଝିଅ ବି.ଏ ପ୍ରଥମ ବର୍ଷରେ ପଢି କଲେଜର ପାହାଚ ଚଢୁଛି। ଆଉ ପାଖରେ ଅଛନ୍ତି ୭୮ ବର୍ଷୀୟ ବୃଦ୍ଧ ଶ୍ୱଶୁର, ଯାହାଙ୍କ ଆଖିରେ ବାର୍ଦ୍ଧକ୍ୟର ଅନ୍ଧାର ଆଉ ଦେହରେ ରୋଗର ପାହାଡ଼।

ନିବାସୀଙ୍କୁ ମିଳୁଛି ମାସକୁ ଏକ ହଜାର ଟଙ୍କାର ବିଧବା ଭତ୍ତା। ଶ୍ୱଶୁରଙ୍କୁ ମିଳୁଛି ଏକ ହଜାର ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା, ଯାହା ତାଙ୍କ ମାସିକ ଔଷଧ ଖର୍ଚ୍ଚକୁ ବି ନିଅଣ୍ଟ। ରାସନରେ ମିଳୁଛି ଚାରି ଜଣଙ୍କ ନାମରେ ୨୦ କିଲୋ ଚାଉଳ। ଏହି ୨୦ କିଲୋ ଚାଉଳ ଆଉ ୨ ହଜାର ଟଙ୍କାରେ ଛ ଟି ପ୍ରାଣୀ, ଚାରି ଝିଅର ବହି-ଖାତା, ବୁଢା ଶ୍ୱଶୁରର ଔଷଧ – ସବୁ ଚଳିବ କେମିତି ? ସମ୍ଭାଳିବ କିଏ ? ଫଳରେ ଅନେକ ଦିନ ଚୁଲି ଜଳେନି। ଅନେକ ରାତି ଉପବାସରେ କଟେ। ଜମି କହିଲେ ଗୋଟିଏ କିଆରୀ ନାହିଁ, ବାଡି କହିଲେ ଗୋଟିଏ ଗଛ ନାହିଁ। ଅଛି କେବଳ ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଭଙ୍ଗା ଛାତ।

କିନ୍ତୁ ଏହି ଦୁଃଖ ଭିତରେ ବି ଏହି ମା’ର ଆଖିରେ ଅଛି ଆତ୍ମସମ୍ମାନର ତେଜ। ସେ କୋହ ଭରା କଣ୍ଠରେ କହୁଛନ୍ତି, “ମୋତେ ଭିକ୍ଷା ଦିଅନି। ମୋ ଝିଅମାନଙ୍କୁ ଭିକାରୀ ବନାଅନି। ଯଦି ସ୍ଥାନୀୟ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ମୋତେ ଗୋଟିଏ ଛୋଟ ଦୋକାନ, ଗୋଟିଏ ସିଲେଇ ମେସିନ୍ କିମ୍ବା ସ୍ୱାବଲମ୍ବୀ ହେବାର ଗୋଟିଏ ବାଟ ଦେଖାନ୍ତି, ମୁଁ ନିଜ ଝିଅମାନଙ୍କୁ ନିଜ ହାତରେ ପୋଷି ପାରିବି, ପଢାଇ ପାରିବି।” ଆଜି ଯେତେବେଳେ ଆମେ କୋଟି କୋଟି ଟଙ୍କାର ଯୋଜନା ଆଉ ବିକାଶର କଥାକହି ବାହାଦୁରୀ ନେଉଛୁ, ସେତେବେଳେ ମାଣିକପୁର ଗ୍ରାମର ଜଣେ ମା’ ତା’ର ଚାରି ଝିଅକୁ ନେଇ ବଞ୍ଚିବା ପାଇଁ ଭିକ୍ଷା ନୁହେଁ, ସାହାରା ମାଗୁଛି। ଏହା କ’ଣ ଆମ ବିକାଶର ଚିତ୍ର ନୁହେଁ କି? ପ୍ରଶାସନ ଶୁଣିବ କି ଏହି ନୀରବ କାନ୍ଦ ?

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.