ଶାଳିଆ ଡ୍ୟାମ୍‌ରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବି ।

0 0

ବେଗୁନିଆପଡ଼ା,୨୨/୧୦(ପିପିଟି ): ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ୍‌ ଅଞ୍ଚଳରେ ପୋଲିସ ଫାଣ୍ଡି ଖୋଲିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ମାତ୍ର ଏଯାଏଁ ଏହି ଦାବି ପୂରଣ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ୨୦୨୫ ଅଗଷ୍ଟ ୨୭ ତାରିଖରେ ବେଗୁନିଆପଡ଼ା ବ୍ଲକ୍‌ ପରିସରରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଙ୍ଗାରଗାଁ ଅଞ୍ଚଳର ରାଜନେତା, ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପକ୍ଷରୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶାଳିଆ ଡ୍ୟାମ୍‌ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ବର୍ଷସାରା ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଭଳି ଏକ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ସହ ପର୍ଯ୍ୟଟକଙ୍କ ନିରାପତ୍ତା ଏବଂ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ଥାୟୀ ପୋଲିସ ବ୍ୟବସ୍ଥା ଜରୁରୀ ବୋଲି ଦାବି ହେଉଛି। ଅଭିଯୋଗ ଅନୁଯାୟୀ, ବେଗୁନିଆପଡ଼ା ଥାନାଠାରୁ ଶାଳିଆ ଡ୍ୟାମ୍‌ ପ୍ରାୟ ୨୦ କିଲୋମିଟର ଦୂରରେ ଥିବାରୁ କୌଣସି ଅପ୍ରୀତିକର ଘଟଣା ଘଟିଲେ ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଖସିଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଚୋରାମଦ କାରବାର ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା ଦିଗରେ ମଧ୍ୟ ପୋଲିସ ଫାଣ୍ଡିର ଆବଶ୍ୟକତା ରହିଛି। ଅଙ୍ଗାରଗାଁ, ଷଣ୍ଢମୂଳ, ତାଳସର, ସାଙ୍କୁଡ଼ା ଓ କୁମ୍ଭାରଗାଁ ସମେତ ପ୍ରାୟ ୧୦ଟି ପଞ୍ଚାୟତର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଶାଳିଆ ଡ୍ୟାମ୍‌ ଅଞ୍ଚଳରେ ପୋଲିସ ଫାଣ୍ଡି ସ୍ଥାପନ ଜରୁରୀ ବୋଲି ଦାବି ଉଠିଛି।

Leave A Reply

Your email address will not be published.