ମାଲକାନଗିରି,୨୩/୦୫(ପିପିଟି) :ମାଲକାନଗିରି ଆରଡି-୧ ରେ ଚାଲୁଥିବା ରାସ୍ତା କାର୍ଯ୍ୟ ସଦାସର୍ବଦା ନିମ୍ନମାନର ହୋଇ ଆସୁଛି। ଯେଉଁ ଠିକାଦାରମାନେ ଆରଡି-୧ରେ କାମ କରି ଆସିଛନ୍ତି, ସେମାନେ ନିମ୍ନମାନର କାମ କରି ବହୁ ଲାଭାଂଶ ପାଇ ଆଜି ଜଣେ ଜଣେ ବିତ୍ତଶାଳୀ ବ୍ଯକ୍ତି। ପୂର୍ବରୁ ଭିଜିଲାନ୍ସ ଦ୍ବାରା ଜନୈକ କାର୍ଯ୍ୟ ନିର୍ବାହୀ ଇଞ୍ଜିନିୟର କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବନ୍ଧା ହୋଇ ଜେଲ ଯାଇଥିବା
ଦୃଷ୍ଟାନ୍ତ ରହିଛି। ତେବେ ମାଲକାନଗିରି ଆରଡି-୧ ହେଲା ଦୁର୍ନୀତିର ଗନ୍ତାଘର। ଏଣୁ ଅନେକ ଠିକାଦାର ମାଲକାନଗିରି ଆରଡି-୧ ରେ ଖଣ୍ଡେ କାମ ପାଇବା ପାଇଁ ସବୁ ପ୍ରକାର କୌଶଳ କୁ ପ୍ରୟୋଗ କରିଥାନ୍ତି। କାମ ଯେତେ ନିମ୍ନମାନ ଅଭିଯୋଗ ହେଲେ ମଧ୍ୟ କାହାର ପେଟେଣ୍ଟ ବନ୍ଦ ହୋଇ ନାହିଁ କି କୌଣସି ଠିକାଦାର ର ଲାଇସେନ୍ସ ବ୍ଲାକ୍ ଲିଷ୍ଟେଡ୍ ହୋଇ ନାହିଁ। ଇଂଜିନିୟରର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସବୁ କାମଧାମ ଚାଲିଛି। ଏହି ଦୁର୍ନୀତିର ବୀଜ ପୂର୍ବ ସରକାର ଅମଳରୁ ଚାଲିଆସିଛି । ବର୍ତ୍ତମାନ ସରକାର ପରିବର୍ତ୍ତନ ହେଲେ ମଧ୍ୟ ଠିକାଦାର ଓ ମନ୍ତ୍ରୀମାନଙ୍କ ଭାବ ପ୍ରୀତି ଯଥା ପୂର୍ବ ତଥା ପର
ନୀତିରେ ଚାଲି ଆସିଛି।
ସୂଚନାଯୋଗ୍ୟ ଯେ ମାଲକାନଗିରି ଆରଡି-୧ ଅଧିନସ୍ଥ ଚିତାପାରୀ-୪ ଠାରୁ ଓଲ୍ଡ ଚିତାପାରୀ ପର୍ଯ୍ୟନ୍ତ ୨.୫୦୦ କିମି ରାସ୍ତା ନିର୍ମାଣ ପାଇଁ ୧.୦୩ କୋଟି ଟଂକା ମଞ୍ଜୁର ହୋଇ ଥିଲା ବଳେ ସସ୍ମିତା ବେହେରାଙ୍କ ନାମରେ ଟେଣ୍ଡର ରହିଛି। ଗତ ଦୁଇ ଦିନ ତଳେ ଏହି ରାସ୍ତାରେ ଚିପ୍ସ ସହ ପିଚୁ ପକାଯାଇଥିଲା ବେଳେ ୩ ଇଞ୍ଚ୍ ଚିପ୍ସ ବଦଳରେ ଗୋଟିଏ ଇଞ୍ଚ୍ ଚିପ୍ସ ପକାଯାଇ
ରୋଲିଙ୍ଗ କରାଯାଇଛି। କମ୍ ପିଚୁ ପକା ଯାଇଥିବାରୁ ଚିପ୍ସ ଗୁଡିକ ପରସ୍ପର ଠାରୁ ଅଲଗା ହୋଇ ରାସ୍ତା ଫାଟି ଆଁ ହୋଇ ଦିଶୁଛି। ଫଳରେ କାମଟି ଅତି ନିମ୍ନମାନର ହୋଇ ଥିବା ବାଲିମେଳା ଏନଏସି ବିଜେଡି ସଭାପତି ରାଜେନ୍ଦ୍ର କୁଲଦୀପ ଓ ପୂର୍ବତନ ସଭାପତି ମଙ୍ଗଳା ପାଙ୍ଗି ଗଣ ମାଧ୍ୟମ ରେ ନିକଟରେ ଅଭିଯୋଗ କରିଛନ୍ତିି।ଏ ସଂପର୍କରେ ମାଲକାନଗିରି ଆରଡି-୧ର କନିଷ୍ଠ ଯନ୍ତ୍ରୀ ଲବରାମ ମାଝୀଙ୍କୁ ପଚାରିବାରୁ ସେ କହିଲେ ଯେ,କାମ ଅତି ନିମ୍ନମାନର ହୋଇ ଥିବାରୁ କାମକୁ ସ୍ଥଗିତ କରାଯାଇଥିବା
ସେ ପ୍ରକାଶ କରିଥିଲେ।ଏ ସମ୍ପର୍କରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଏହା ର ତଦନ୍ତ କଲା ପରେ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ କ’ଣ ନିଆ ଯିବ ଆଗକୁ ଜଣା ପଡିବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)