ମାଲକାନଗିରି,୧୯/୦୫(ପିପିଟି) :ମାଲକାନଗିରି ବନାଞ୍ଚଳ ଅଧିନସ୍ଥ ନାମକୋଣ୍ଡା ପିଆରଏଫରୁ ଗଛ କାଟି ଦୁଇ ଗୋଟି ଟ୍ରାକ୍ଟରରେ କାଠ ବୋଝେଇ କରି ଇଟା ଭାଟିକୁ ନେବା ସମୟରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ବନକର୍ମଚାରୀମାନେ କାଠ ସହିତ ଟ୍ରାକ୍ଟରକୁ ଜବତ କରିଛନ୍ତି। ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।ବିବରଣୀରୁ ପ୍ରକାଶ ଯେ,ଗତ ୧୭ ତାରିଖ ସନ୍ଧ୍ୟା ୯ ଘଟିକା ସମୟରେ ଏମଭି-୪୧ ଗ୍ରାମର ଧନୁର୍ଜୟ ଢ଼ାଲି ଓ ପାଲକୋଣ୍ଡା ଗ୍ରାମର ଗଙ୍ଗା ମାଡି ଦୁଇ ଟି ଟ୍ରାକ୍ଟରରେ କାଠ ବୋଝେଇ କରି ଏମଭି- ୪୧ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ପାଲକୋଣ୍ଡା ଗାଁ ନିକଟରେ ପୂର୍ବରୁ ପ୍ରସ୍ତୁତ
ହୋଇ ଜଗି ରହିଥିବା ବନ କର୍ମଚାରୀମାନେ ଏହି ଟ୍ରାକ୍ଟର ଦୁଇଟାକୁ କାବୁ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଥିଲେ। ସେଠାରେ ଆସାମୀ ମାନଙ୍କୁ ପଚରାଉଚରା ବେଳେ ଏହି କାଠ ନିକଟସ୍ଥ ନାମକୋଣ୍ଡା ପିଆରଏଫ ଜଙ୍ଗଲୁ କଟା ଯାଇ ଇଟା ଭାଟି ପୋଡିବା ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ପ୍ରକାଶ କରିଥିଲେ। ତେବେ କାଠ ଚାଲାଣକାରୀମାନେ ହେଲେ ଏମଭି-୪୧ ଗ୍ରାମର ଧନୁର୍ଜୟ ଢ଼ାଲି ଓ ପାଲକୋଣ୍ଡା ଗ୍ରାମର ଗଙ୍ଗା ମାଡି । ଏହି ଦୁଇ ଜଣକୁ ଗିରଫ କରାଯାଇ ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ଅନୁସାରେ ଧାରା ୪ ଓ ୧୨ରେ ମାମଲା ଋଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ଏହି କାର ମୂଲ୍ୟ ଅନୁମାନିକ ୮୦ ହଜାର ଟଙ୍କାର ହେବ ବୋଲି କୁହାଯାଇଛି। ଏହି କାଠ ଓ ଟ୍ରାକ୍ଟରକୁ ବନପାଳ ମନତୋଷ ଦେଏ, ବନରକ୍ଷୀ ସରୋଜ ସ୍ବାଇଁ ଏବଂ କୈଳାସ ମହାରଣା ଜବତ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)