କଳାକାର ମହାସଂଘର ଶୋକସଭା ।

0 245

ବ୍ରହ୍ମପୁର,୧୩/୦୫(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଭଗବାନ ବିଷୋୟୀଙ୍କ ଅବର୍ତ୍ତମାନରେ ଏକ ଶୋକ ସଭା ବାଲାଜୀ ପେଣ୍ଠ ସାହି ସ୍ଥିତ ସ୍ଵ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉପ-ମହାସଚିବ ପ୍ରଦୀପ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେବାପରେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ନୃତ୍ୟ ଗୁରୁ ବି. ପ୍ରସାଦ ରାଓ, ମୃଦଙ୍ଗ ବାୟକ କୁନୁ ବେହେରା, ଗାହଣ ନୃତ୍ୟବିତ୍ ଜି. କାମରଜୁ ପାତ୍ର, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସ୍ବର୍ଗତ ଭଗବାନଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଭଗବାନ ବାବୁ ଦୀର୍ଘ ଦିନ ଧରି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରିପାରି ଗ୍ରାମସ୍ଥିତ ସ୍ୱ ବାସଭବନରେ ଶଯ୍ୟାଶାୟୀ ରହି ଚଳିତ ମାସ ପାଞ୍ଚ ତାରିଖ ଅପରାହ୍ନ ଗୋଟାଏ ବେଳେ ଇହଲୀଳା ଶମ୍ବରଣ କଲେ। ସେ ଜଣେ ନିଷ୍ଠାପର ନାଟ୍ୟଗୁରୁ ଥିଲେ। ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ଓ କଳାକାର ମହାସଂଘ ସହିତ ଜଡିତ ରହି ଆପଣା ସାଙ୍ଗଠନିକ ଦକ୍ଷତା ପ୍ରଦର୍ଶନ କରିଥିଲେ । ତାଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଗ୍ରାମୀଣ ନାଟ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି ସାଧିତ ହେଲା ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଡ଼ା. ତିରୁପତି ସାହୁ, ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ରମେଶ ଚନ୍ଦ୍ର ସ୍ୱାଇଁ, ଦୀପକ କୁମାର ପ୍ରଧାନ, କାଳୁ ପାଣିଗ୍ରାହୀ, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.