ବୋଲଗଡ, ୨୨/୧୦(ପିପିଟି):ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ବୋଲଗଡ ପଞ୍ଚାୟତ ସମିତି ପକ୍ଷରୁ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଶରତ ଚନ୍ଦ୍ର ମଲ୍ଲିକ ଏଥିରେ ଅଧକ୍ଷତା କରିଥିଲେ । ବୈଠକରେ ବିଦ୍ୟୁତ୍ ଉପଖଣ୍ଡ ଅଧିକାରୀ, ଗୋଷ୍ଠୀ ଶିକ୍ଷାଧିକାରୀ , ସହକାରୀ କୃଷି ଅଧିକାରୀ , ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ ଦୀନବନ୍ଧୁ ବେହେରା , ଜଳ ଓ ପରିମଳ ଅଧିକାରୀ , ଅଗ୍ନିଶମ ଅଧିକାରୀଙ୍କ ସମେତ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ଜନସାଧାରଣ, ଗୃହପାଳିତ ପ୍ରାଣୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେ ନେଇ ଆଲୋଚନା ହୋଇଥିଲା। ବାଂକୋଇ ଏବଂ ସାଗରଗାଁ ଠାରେ ବାତ୍ୟା ପାଇଁ ବ୍ୟବସ୍ଥା ଆଶ୍ରୟସ୍ଥଳୀରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ୪ଟି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଗଚ୍ଛିତ ରଖିବା, ବାତ୍ୟାରେ ଗମନାଗମନ ବେଳେ ଉପୁଜୁଥିବା ଅସୁବିଧା ଦୂର କରିବାକୁ ଆବଶ୍ୟକୀୟ ସରଞ୍ଜାମ, ଜେସିବ ମେସିନ, ପାଣିପମ୍ପ୍ ଆଦି ଗଛିତ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ବାତ୍ୟା ପରବର୍ତ୍ତୀ ସମୟରେ ଯେପରି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ନିକଟରେ ପହଞ୍ଚିବ ତା ଉପରେ ଜଳ ଓ ପରିମଳ ବିଭାଗକୁ ଗୁରୁତ୍ବ ଦେଇଥିଲେ । ଏଥିସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଚୂଡା, ଗୁଡ଼, ମହମବତୀ ମହଜୁଦ ରଖିବା ପାଇଁ ନିଷ୍ପତି ନିଆଯାଇଛି। କିଏ କେଉଁ ଦାୟିତ୍ବରେ ରହିବେ ତାର ତାଲିକା କରିବାସହ ମିଳିମିଶି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ବିଡ଼ିଓ ସମସ୍ତ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟୁତ୍ କନିଷ୍ଠ ଯନ୍ତ୍ରୀଙ୍କ ସହିତ , ବାଂକୋଇ ର ୧୨ଟି ଅଙ୍ଗନବାଡି ଓ ସାଗରଗାଁ ର ୧୭ ଟି ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି l ସାଗରଗାଁ ଓ ବାଂକୋଇରେ ଥିବା ୯୭ଗର୍ଭବତୀମହିଳା ଓ ୧୮୯ ପ୍ରସୂତି ମହିଳା ମାନଙ୍କ ପାଇଁ ବିଶେଷଭାବେ ଗୁରୁତ୍ୱ ଦେବା ସହିତ ସେମାନଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଛନ୍ତି l ଆସିଷ୍ଟାଣ୍ଟ ଇଞ୍ଜିନିଅର ଅମୁଲ୍ୟ ବାହିନୀପତି ସଂଯୋଜନା କରିଥିଲେ l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)