ଯାଜପୁର,୧୪/୧୦(ପିପିଟି):ନିର୍ବାଚନରେ ପରାଜୟ ଜଣେ ରାଜନେତାଙ୍କୁ ମର୍ମାହତ କରିଦିଏ । ପରାଜୟର ଗ୍ଲାନି ତାଙ୍କୁ ବେଶ କିଛି ବର୍ଷ ଲୋକଙ୍କ ପାଖରୁ ଦୁରେଇ ଦିଏ । ହେଲେ ଏହାର ସମ୍ପୂର୍ଣ୍ଣ ଓଲଟା ଚରିତ୍ର ହେଉଛନ୍ତି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବ ନେତା ତଥା ପୂର୍ବତନ ଗ୍ରାମ୍ୟ ଉନ୍ନୟନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ(ଡ୍ୟାନି)। ରାଜ ଦ୍ୱାରେ ସ୍ମଶାନେ ଚ, ଯ ତିଷ୍ଠତି ସ ବାନ୍ଧବ ଭଳି ଉକ୍ତିକୁ ପ୍ରାଥମିକତା ଦେଇଛନ୍ତି । ପ୍ରୀତିରଞ୍ଜନ ନାମରେ ସେ ଯେତେ ପରିଚିତ ହୁଅନ୍ତି ନାହିଁ ତା ଠାରୁ ଅଧିକ ନିଜର ଡାକ ନାମ ଡ୍ୟାନି ନାମରେ ସେ ସମସ୍ତଙ୍କ ପ୍ରିୟ । ସାରା ରାଜ୍ୟରେ ରହିଛି ତାଙ୍କ ଲୋକପ୍ରିୟତା । ବୟସ୍କଙ୍କ ନିକଟରେ ଡ୍ୟାନି ଓ ଯୁବକଙ୍କ ନିକଟରେ ଡ୍ୟାନି ଭାଇ ଭାବେ ଭିନ୍ନ ପରିଚୟ ସୃଷ୍ଟି କରି ଶ୍ରଦ୍ଧା ଓ ସମ୍ମାନ ପାଇଛନ୍ତି । ରାଜ୍ୟର ବରିଷ୍ଠ ତଥା ଧୁରୀଣ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସୁପୁତ୍ର ସେ । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୯ ନିର୍ବାଚନରେ କୋରେଇରୁ ବିଜୟୀ ହୋଇଥିଲା ବେଳେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ପ୍ରତିନିଧିତ୍ୱ କରିଛନ୍ତି । ଏହା ସହିତ ସେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଭାବେ ବେଶ ସଫଳତାର ସହିତ କାର୍ଯ୍ୟ ମଧ୍ୟ କରିଛନ୍ତି । ଗତ ନିର୍ବାଚନରେ ସେ ପରାଜିତ ହୋଇଛନ୍ତି । ତାଙ୍କ ପରାଜୟ ପଛରେ ତାଙ୍କ କାର୍ଯ୍ୟଶୈଳୀର ଯେତିକି ଭୂମିକା ନଥିଲା ସରକାରୀ ଵିରୋଧି ମତ ସହିତ ଦଳର କିଛି ନେତାଙ୍କ ଗୁପ୍ତ ଷଡ଼ଯନ୍ତ୍ର ତା ଠାରୁ ଅଧିକ ଥିଲା । ପରାଜିତ ହେଲା ପରେ ବି ତାଙ୍କ କାର୍ଯ୍ୟଶୈଳୀ ଉପରେ ଆଦୌ ପ୍ରଭାବ ପକାଇ ପାରିନାହିଁ । ରାଜନୀତି ଭିତରେ ଜନ ସେବା ସବୁ ବେଳେ ଡ୍ୟାନିଙ୍କ ପ୍ରାଥମିକତା ହୋଇ ରହିଛି । ଛାତ୍ର ଜୀବନରୁ ସମାଜ ସେବା ପାଇଁ ସେ ଗୋଡ଼ କାଢ଼ିଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଦୁଃଖି ଲୋକ, ଅସହାୟ, ରୋଗୀ ଓ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ଖବର ପାଇଲେ ତା ନିକଟରେ ପହଞ୍ଚିବାରେ ଆଦୌ ହେଳା କରୁନଥିଲା ବେଳେ ହାତ ଖୋଲି ସାହାଯ୍ୟ କରିବାରେ କେବେ କାର୍ପଣ୍ୟ କରନ୍ତି ନାହିଁ । ରୋଗୀଟିଏ କିଭଳି ମେଡିକାଲରେ ପହଞ୍ଚିବ, କେମିତି ଉନ୍ନତ ଚିକିତ୍ସା ସେବା ପାଇବ ସେ ନେଇ ବେଶ ଯତ୍ନବାନ ହୋଇପଡନ୍ତି । ଆବଶ୍ୟକ ସ୍ଥଳେ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା ମଧ୍ୟ କରନ୍ତି । ଶିକ୍ଷାକୁ ଗୁରୁତ୍ୱ ଦେଉଥିଲା ବେଳେ ଅଭାବ ଅସୁବିଧାରେ ଥିବା ପିଲା କିଭଳି ଶିକ୍ଷାଲାଭ କରିବ ସେ ନେଇ ମଧ୍ୟ ବେଶ ଉଦ୍ୟମ କରୁଛନ୍ତି । କେବଳ ନିର୍ବାଚନ ମଣ୍ଡଳୀ ସୁକିନ୍ଦାରେ ନୁହେଁ ଜିଲ୍ଲାର ଯେ କୌଣସି ଲୋକଟିଏ ତାଙ୍କ ନିକଟକୁ ସହାୟତା ପାଇଁ ଯାଇଛି ତାକୁ କେବେ ନିରାଶ କରି ନାହାନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ କେହି ମୃତ୍ୟୁ ବରଣ କଲେ ସ୍ମଶାନରେ ସଂସ୍କାର ସରିବା ପର୍ଯ୍ୟନ୍ତ ଅଟକି ରହିବା ନଜିର ବହୁତ ଅଛି । ସେ ସାଧାରଣ ଶ୍ରମିକ ଟିଏ ହେଉ ଅବା ସମାଜର ପ୍ରତିଷ୍ଠିତ ବ୍ୟକ୍ତି ସମସ୍ତଙ୍କ ସହିତ ବନ୍ଧୁ ପଣେ ବନ୍ଧା ପଡିଛନ୍ତୁ ଡ୍ୟାନି । ପରାଜୟ ପରେ ବହୁ ରାଜନେତା ନିଜ ଅଞ୍ଚଳ ଓ ନିଜ ଲୋକଙ୍କୁ ଦୁରେଇ ଦେଉଥିଲା ବେଳେ ଡ୍ୟାନି କିନ୍ତୁ ତାର ବ୍ୟତିକ୍ରମ । ନିଜେ ହାରି ଯାଇଛନ୍ତି, ସରକାର ବଦଳି ଯାଇଛି ସତ ହେଲେ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରି ନାହାନ୍ତି ସେ । ଆଜିବି ନିଜ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛନ୍ତି ପୂର୍ବ ଦିନ ମାନଙ୍କ ଭଳି । ବିବାହ, ବ୍ରତ ହେଉ ଅବା ଶୁଦ୍ଧି କାର୍ଯ୍ୟ ନିଜ ପରିବାର ଲୋକଙ୍କ ଭଳି ପହଞ୍ଚି ଯାଉଛନ୍ତି ସେମାନଙ୍କ ନିକଟରେ । ଦୁଃଖି ଲୋକଙ୍କ ବିଷୟରେ ଖବର ସଂଗ୍ରହ କରି ସ୍ଥିତି ପରଖିବାକୁ ତାଙ୍କ ନିକଟରେ ପହଞ୍ଚୁଛନ୍ତି । ଆଉ ସାହାଯ୍ୟର ହାତ ବି ବଢ଼ାଉଛନ୍ତି । ପରାଜୟ ପରେ ବି ଡ୍ୟାନିଙ୍କ ଏହି ଆଭିମୁଖ୍ୟ ତାଙ୍କ ବିରୋଧିଙ୍କ ମନରେ ଛନକା ପୁରାଇଥିଲା ବେଳେ ଡ୍ୟାନି କିନ୍ତୁ ନିର୍ବିକାର । ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ହେବା ସୁକିନ୍ଦାବାସୀଙ୍କ ମନରେ ତାଙ୍କ ପ୍ରତି ଭରସା ଓ ଭଲ ପାଇବାକୁ ଢେର ବଢ଼ାଇ ଦେଇଛି । ଏ ନେଇ ମତ ଦେବାକୁ ଯାଇ କହନ୍ତି ଭଗବାନ ସମସ୍ତଙ୍କୁ ସାହାଯ୍ୟ କରନ୍ତି ବିଭିନ୍ନ ମାଧ୍ୟମ ଦେଇ, ବୋଧହୁଏ ମୁଁ ଭଗବାନଙ୍କର ମାଧ୍ୟମ ମଧ୍ୟରୁ ଜଣେ । ଅସହାୟ ଲୋକଟିଏ ମୁହଁରେ ଟିକିଏ ହସ ଫୁଟାଇ ପାରିଲେ ଏହା ହେବ ମୋର ସାର୍ଥକତା । ସମସ୍ତଙ୍କୁ ନିଜ ପରିବାର ଭଳି ଦେଖିବାକୁ ମୋର ପୂଜ୍ୟ ପିତା ପିଲାବେଳୁ ଶିକ୍ଷା ଦେଇଛନ୍ତି । ତାକୁ ନେଇ ଜଣେ ସେବକ ଭାବେ କାମ କରୁଛି । ଯଦି ମୋ ଛୋଟିଆ ଉଦ୍ୟମ କାହା ମୁହଁରେ ଟିକିଏ ହସ ଫୁଟାଇ ପାରୁଛି ତା ଠାରୁ ବଡ଼ ଉପଲବ୍ଧି ମୋ ପାଇଁ ଆଉ କିଛି ନାହିଁ । ଆଉ ସବୁ ମା ବିରଜାଙ୍କ ଇଛା ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ)