ଶୁଳିଆ ଜଙ୍ଗଲରେ ବାଘ:ଭୟରେ ଗ୍ରାମବାସୀ;ଷଣ୍ଡକୁ ମାରି ଖାଇଥିବା ଅଭିଯୋଗ ।

0 288

ବାଣପୁର,୨୧/୦୯ :ଦୁଇ ଦିନ ହେବ ବାଣପୁର ଶୁଳିଆ ଜଙ୍ଗଲରେ ଗୋଟିଏ ବାଘ ବୁଲୁଥିବା ଚର୍ଚ୍ଚା ହେଉଥିବା ବେଳେ ଶନିବାରେ ବାଘଟି ଏକ ଷଣ୍ଡକୁ ମାରି ଘୋଷାରି ନେଇ ଖାଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ବାଘ ବୁଲୁଥିବା ପ୍ରଚାର ହେବାପରେ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଗ୍ରାମବାସୀ । ବିଗତ ଦୁଇ ଦିନ ହେବ ଶୁଳିଆ ଜଙ୍ଗଲରେ ଏକ ବାଘ ବୁଲୁଥିବା ଜଙ୍ଗଲ ନିକଟସ୍ଥ ସଲପଡିହ ଗ୍ରାମରେ ପ୍ରଚାର ହୋଇଥିଲା । ତେବେ ଆଜି ଉକ୍ତ ଜଙ୍ଗଲରେ ଏକ ଷଣ୍ଢ ମରି ପଡିଥିବା ବେଳେ ଷଣ୍ଢଟିକୁ ପ୍ରାୟ ଅଧ କିଲୋ ମିଟର ଘୋଷାରି ନେବା ପରେ ତାର ଶରୀରର ଅର୍ଦ୍ଧାଧିକ ଭାଗକୁ କୈାଣସି ଜଙ୍ଗଲି ଜନ୍ତୁ ଖାଇଦେଇଥିବା ଗ୍ରାମବାସୀମାନେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀମାନେ ଜଙ୍ଗଲର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରିବା ସହ ତନଖି କରିବାରେ ମୃତ ଷଣ୍ଢ ନିକଟରେ ଏବଂ ଜଙ୍ଗଲର ଅନ୍ୟାନ୍ୟ ସ୍ଥାନରେ ବାଘର ପାଦ ଚିହ୍ନ ଥିବା ସ୍ପଷ୍ଟ କରିବା ସହ ଶୀକାର ଶୈଳୀରୁ ଏହା ଏକ ମହାବଳ ବାଘ ହୋଇଥିବା ଅନୁମାନ କରିଥିଲେ । ଏହା ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଜଙ୍ଗଲଟି ଟାଙ୍ଗୀ ଫରେଷ୍ଟ ବିଭାଗ ଅଧିନସ୍ତ ସଲପଡି ବିଟ୍ ହାଉସ ଅଞ୍ଚଳରେ ହୋଇଥିବା ବେଳେ ଜଙ୍ଗଲ ମଧ୍ୟରେ ବାଘ ଥିବା ଖବର ପାଇ ବନ ବିଭାଗ ବିଟ୍ ହାଉସ୍‌ର କର୍ମକର୍ତ୍ତା ଶୁଳିଆ ଜଙ୍ଗଲରେ ବୁଲି ବିଭିନ୍ନ ସ୍ଥାନରୁ ପାଦ ଚିହ୍ନର ଫଟୋ ଚିତ୍ର ଉଠାଇ ଅନୁସନ୍ଧାନ ଚଳାଇଥିଲେ । ତେବେ ଜଙ୍ଗଲ ମଧ୍ୟରେ ଏକ ଷଣ୍ଢକୁ କିଏ ମାରି ଖାଇ ଦେଇଥିବାର ସ୍ଥାନୀୟ କିଛି ଲୋକଙ୍କ ଠାରୁ ଶନିବାରେ ଖବର ପାଇ ଫରେଷ୍ଟ ବିଟ୍ ହାଉସ୍ କର୍ମକର୍ତ୍ତା ପୂନର୍ବାର ଜଙ୍ଗଲ ମଧ୍ୟକୁ ଯାଇଥିଲେ । ତେବେ ଜଙ୍ଗଲରେ ଷଣ୍ଢଟି ମରିପଡିଥିବା ସ୍ଥାନରେ ପହଞ୍ଚି ସେଠାରେ ଏକ ବାଘର ପାଦ ଚିହ୍ନ ଦେଖିବାକୁ ପାଇବା ସହ ଷଣ୍ଢଟିକୁ ବାଘ ମାରିଛି ବୋଲି ସନ୍ଦେହରେ ଅନୁସନ୍ଧାନ ଆରମ୍ଭ କରିବା ସହ ବାଘଟି ଷଣ୍ଢକୁ ଘୋଷାରି ଆଣିଥିବାର ଚିହ୍ନର ଫଟୋ ଉଠାଇ ଅଧିକା ଅନୁସନ୍ଧାନ ପାଇଁ ଉଚ୍ଚ ବିଭାଗୀୟ ଅଧିକାରୀଙ୍କୁ ପଠାଇଛନ୍ତି । ତେବେ ଜଙ୍ଗଲ ଅଭିମୁଖେ ନ ଯିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରା ଯାଇଛି । ଏ’ ସମ୍ପର୍କରେ ନାଚୁଣୀ ବନପାଳଙ୍କୁ ଯୋଗାଯୋଗ କରିବାରେ,ଭଞ୍ଜନଗର ଜଙ୍ଗଲରୁ ଗୋଟିଏ ବାଘ ଶୁଳିଆ ଜଙ୍ଗଲକୁ ଚାଲି ଆସିଥିବା ଏବଂ ଏହା ଏକ ମହାବଳ ବାଘ ହୋଇଥିବାର ଅନୁମାନ କରାଯାଉଛି ବୋଲି କହିଥିଲେ । ତୁରନ୍ତ ସ୍ଥାନୀୟ ଜଙ୍ଗଲରୁ ବାଘକୁ ଅନ୍ୟତ୍ର ଘଉଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ବନ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.