ମାଲକାନଗିରି, ୦୩/୦୭(ପିପିଟି) :ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ପ୍ରସାଦ ମାଢିଙ୍କ କିଡ୍ନୀ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟଲରେ ଚିକିତ୍ସିତ ହେଉଥିଲା ବେଳେ ଆଜି ତାଙ୍କର ଦେହାନ୍ତ ଘଟିଛି। ଶ୍ରୀ ମାଢିଙ୍କର ଦେହାନ୍ତ ଖବର ପାଇ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଦେହାନ୍ତ ସମୟରେ ତାଙ୍କର ୫୫ ବର୍ଷ ବୟସ ହୋଇଥିଲା ।
ଶ୍ରୀ ମାଢି ମହାମାରୀ କରୋନା ସମୟରେ ଗାଁ ଗାଁ ବୁଲି କରୋନା ରୋଗରୁ କିପରି ଦୂରେଇ ରହିବେ ସଚେତନତା କରୁଥିବା ସମୟରେ ସେ କରୋନାରେ ପୀଡିତ ହୋଇଥିଲେ । ତାପରେ ତାଙ୍କର ଦୁଇଟି କିଡ୍ନୀ ନଷ୍ଟ ହୋଇଗଲା । ତାଙ୍କ ସଂପର୍କିୟ ବ୍ଯକ୍ତି ଗୋଟିଏ କିଡ୍ନୀ ଦେଇ ଜୀବନ ବଞ୍ଚାଇଥିଲେ । ସେ ନିର୍ବାଚନ ସମୟରେ ବୁଲା ବୁଲି କରି ପୁଣି କିଡ୍ନୀ ସଂକ୍ରମିତ ହେବାରୁ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସନ୍ଧ୍ୟା ୫ଟା ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ପତ୍ନୀ, ଦୁଇ ଝିଅ ଓ ଗୋଟିଏ ସାନ ପୁଅ ଅଛନ୍ତି । ତାଙ୍କ ଦେହାନ୍ତରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଜି ତାଙ୍କର ମରଶରୀରକୁ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିଧାନସଭା ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆସନ୍ତାକାଲି ତାଙ୍କର ପୈତୃକ ଗାଁ ପଡିଆ ବ୍ଲକ ରୋଡ଼ନପାଲ୍ଲୀକୁ ଅଣାଗଲା ପରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡିଛି। ସେ ପୂର୍ବରୁ ଆରଏସଏସ ସଂଘୀୟ କାର୍ଯ୍ୟକର୍ତ୍ତା ଥିଲେ । ପରେ ଆଦିବାସୀ ମଙ୍ଗଳ ବିଭାଗର ଶିକ୍ଷକ ଥିଲେ । ୨୦୦୯ ଓ ୨୦୧୪ରେ ବିଜେପି ଦଳରୁ ମାଲକାନଗିରି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ୨୦୧୯ରେ ଶ୍ରୀ ମାଢି ମାଲକାନଗିରିର ବିଜେପି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ଗତ ୨୦୨୨ ମସିହାରେ ସେ କିଡ୍ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମାଲକାନଗିରି ଜିଲ୍ଲା ବିଜେପି ଦଳର ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ନୂତନ ବିଧାୟକ ନରସିଂହ ମାଡକାମି ,ବିଜେପି ଦଳର ମାଣିକ ଲାଲ ଚକ୍ରବର୍ତ୍ତୀ, ସଞ୍ଜୟ ସରକାର, ନିହାର ରାୟ, ସଜୁ ସରକାର, ନବଘନ ଲକେଇ ,ସମସ୍ତ ବିଜେପି ନେତୃ ବୃନ୍ଦ ଓ କର୍ମୀ ଶୋକ ପ୍ରକାଶ କରିଛନ୍ତି। ଏହି ମୃତ୍ୟୁ ଖବର ପ୍ରଘଟ ହେବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)