ଭାଲ୍ଲୁ ଆକ୍ରମଣରେ ଜଣେ ବାଳକ ଆହତ ।

0 42

ମାଲକାନଗିରି ,୧୧/୦୪(ପିପିଟି) : ବର୍ତ୍ତମାନ ମହୁଲ ସଂଗ୍ରହ କରିବା ସମୟ । ଆଦିବାସୀ ମାନେ ମହୁଲ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ବଡ଼ି ଭୋରରୁ ଯାଇଥାନ୍ତି। ଫଳରେ କେବେ ଜଙ୍ଗଲ ର ହିଂସ୍ର ଜନ୍ତୁଙ୍କ ଶିକାର ହୋଇ ମୃତ୍ୟୁ ବରଣ କରନ୍ତି। କେହି କେହି ଆକ୍ରମଣର ଶିକାର ହୋଇ ବିକଳାଙ୍ଗ ହେବା ନଜିର ରହିଅଛି। ସେମିତି ମାଥିଲି ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା ଏକ ବାଳକ ଭାଲ୍ଲୁ ଆକ୍ରମଣ ର ଶିକାର ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ରୁ ଜଣାପଡିଛି ଯେ ,ମାଥିଲି ଥାନା ଅନ୍ତର୍ଗତ ପାଲାରିପଦର ଗ୍ରାମର ବୁଦୁରା ମାଝିଙ୍କ ପୁଅ ରମେଶ ମାଝି(୧୬) ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ମହୁଲ ସଂଗ୍ରହ କରିବା ପାଇଁ ସକାଳେ ଯାଇଥିଲା ବେଳେ ଏକ ଭାଲ୍ଲୁ ଆକ୍ରମଣ କରିବା ଫଳରେ ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସକାଳ ସମୟରେ ଜଙ୍ଗଲ ମଧ୍ୟରେ ଏକ ଭାଲ୍ଲୁ ରମେଶକୁ ଦେଖି ହଠାତ୍ ଆକ୍ରମଣ କରିଥିବା ବେଳେ ସେ ବଡ଼ ପାଟିରେ ଚିତ୍କାର କରି ଉଠିଥିଲା । ତା ଚିତ୍କାର ଶୁଣି ଜଙ୍ଗଲ ମଧ୍ୟରେ ଥିବା କିଛି ଲୋକେ ଦଉଡି ଆସିବାରୁ ଭାଲ୍ଲୁଟି ସେଠାରୁ ଚାଲିଯାଥିଲା । କିନ୍ତୁ ଏତିକି ବେଳେ ରମେଶର ମୁଣ୍ଡ, ମୁହଁ ଏବଂ ଅନ୍ୟାନ୍ୟ ସ୍ଥାନକୁ ଭାଲ୍ଲୁଟି ରାମ୍ପି ଗଭୀର କ୍ଷତବିକ୍ଷତ କରିଥିଲା । ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ମାନର ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମୂଖ୍ୟ ଚିକିତ୍ସାଳୟ ଠାରେ ପହଁଚିବା ପରେ ସେଠାକାର ଡାକ୍ତରୀ ଦଳ ରମେଶ ଙ୍କୁ ସଠିକ୍ ଚିକିତ୍ସା କରିବାରେ ଲାଗପଡି ଥିଲେ । ସୂଚନା ଅନୁଯାୟୀ ବର୍ତ୍ତମାନ ରୋଗି ଜଣକ ସୁସ୍ଥ ଥିବା ଡ଼ାକ୍ତର ସପନ କୁମାର ଦିଣ୍ଡା ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.