ବୋଲଗଡ଼, ୨୬/୯ (ପିପିଟି): ଲଗାଣ ବର୍ଷାରେ ବେହାଲ୍ ହେଲା ବୋଲଗଡ଼ ବ୍ଲକ୍। ବ୍ଲକର ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ବାଳସିଂହ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ଗ୍ରାମ୍ୟ ରାସ୍ତା ଉପରେ ପ୍ରାୟ ୨ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ଫଳରେ ଗ୍ରାମର ଯାତାୟତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ସ୍ଥାନୀୟ ଲୋକେ ଜୀବନକୁ ବାଜି ଲଗାଇ ଅଣ୍ଟାଏ ପାଣି ଭିତରେ ଯାତାୟତ କରୁଛନ୍ତି।
ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଶହ ଶହ ଏକର ବିଲ ଓ ଧାନ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଅମଳ କ୍ଷମ ଧାନ ଫସଲ ଉପରେ ପାଣି ମାଡି ଯିବାରୁ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛି। ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ ହେବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତା ବହୁ ନିଚା ଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ସ୍ଥିତି ଉପୁଜୁଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତିର ଆକଳନ କରିବା ସହ ରାସ୍ତାକୁ ଉଚ୍ଚ କରିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ରିପୋର୍ଟ: ସୁଶାନ୍ତ କୁମାର ପ୍ରଧାନ, ସାଗରଗୁଆଁ