ଭଞ୍ଜନଗର, ୧୧/୦୪(ପିପିଟି):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ରାଜନୈତିକ ଦଳ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି।ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପକ୍ଷରୁ ପୁଣିଥରେ ୭ମ ଥର ପାଇଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଧାୟକ ଟିକେଟ୍ ମିଳି ଥିବା ବେଳେ ବିଜେପି ପକ୍ଷରୁ ଗତଥରର ପରାଜିତ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ଓ କଂଗ୍ରେସ ପକ୍ଷରୁ ନୂଆ ମୁହଁ ଭାବେ ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କୁ ଦଳ ଗୁରୁ ଦାୟିତ୍ୱ ପ୍ରଦାନ କରିଛି।ସେହିପରି ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଗତକାଲି ଦଳର ରାଜ୍ୟ ଅଧ୍ୟକ୍ଷା ଗୀତା ଚୟନୀ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।ଏଥିରେ ଭଞ୍ଜନଗର ବିଧାନସଭା ଆସନ ପାଇଁ ଯୁବ ସମାଜସେବୀ ରାହୁଲ ସ୍ୱାଇଁଙ୍କୁ ଟିକେଟ ମିଳିଛି।ବୁଦ୍ଧାଶ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ଶ୍ରୀ ସ୍ୱାଇଁ ଲୋକଙ୍କ ସେବାକର୍ଯ୍ୟ କରି ଆସୁଛନ୍ତି। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଦଳ ରାହୁଲଙ୍କ ଉପରେ ଭରସା କରି ତାଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଜଣ ପ୍ରାର୍ଥୀ ମଇଦାନରେ ଛିଡ଼ା ହୋଇଥିବା ଜଣାପଡିଛି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)