ରାଜସୁନାଖଳା,୧୯/୦୩(ପିପିଟି) ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ ଜାରି l ସ୍ଥାନୀୟ ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ମଙ୍ଗଳବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ମଞ୍ଚ ପ୍ରସ୍ତୁତ କରି ଅହୋରାତ୍ର ଆମରଣ ଅନଶନ ରେ ବସିଛନ୍ତି ଆର୍ତତ୍ରାଣ l ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଏହି ଅନଶନ ଜାରି ରହିଛି l ତେଵେ ଏହି ଅନଶନ କୁ ସ୍ଥାନୀୟ ବୁଦ୍ଧିଜୀବୀ, ସ୍ବେଛାସେବୀ, ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି l ସମ୍ପ୍ରତି ନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବା ବେଳେ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାର ସମ୍ଭାବନା ନ ଥିବାରୁ ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସୂଚନା ଦେଇଛି ପରିଷଦ l ସରକାର ରାଜ୍ୟର ଅନେକ ସ୍ଥାନକୁ ନିର୍ବାଚନ ପୂର୍ବରୁ ଏନ ଏ ସି ମାନ୍ୟତା ପ୍ରଦାନ କରିଥିବା ବେଳେ ରାଜ ସୁନାଖଳା ସମ୍ପୂର୍ଣ ଯୋଗ୍ୟ ହୋଇ ମଧ୍ୟ ଏହି ମାନ୍ୟତରୁ ବଞ୍ଚିତ ରହିଛି l ତେଵେ ସ୍ଥାନୀୟ ଜନସାଧାରଣ ଏନେଇ ଦାବି ଜୋର କରିଛନ୍ତି l ଅନଶନ ଭଙ୍ଗ କରିବାକୁ ପ୍ରଶାସନିକ ଚାପ ପଡିଲେ ସ୍ଥାନୀୟ ଜନସାଧାରଣ ଙ୍କ ସହ ପରିଷଦ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ସୂଚନା ମିଳିଛି l ଏହି ଅନଶନ କୁ ବିଭିନ୍ନ ଦଳର ରାଜନେତା ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି l ପୂର୍ବରୁ ଶ୍ରୀପ୍ରଧାନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲାପାଳ, ଏସ ପି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ନଗର ଉନ୍ନୟନ ସଚିବ ଙ୍କୁ ଅନଶନ ପାଇଁ ସ୍ମାରକପତ୍ର ପଠାଇଥିଲେ l ତେଵେ ଖୁବ ଶୀଘ୍ର ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ନିବେଦନ କରିଛନ୍ତି l
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)