ଉଲୁଣ୍ଡା ,୧୬/୦୩(ପିପିଟି):ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଭିତ୍ତିଭୂମିର ବିକାଶ ପାଇଁ ପୁଣିଥରେ ୭୯ଲକ୍ଷ ଟଙ୍କା ଅନୁଦାନ ମିଳିଛି l ଗତ ଜାନୁୟାରୀ ମାସରେ ମଞ୍ଜୁରୀପ୍ରାପ୍ତ ୫୧.୫ଲକ୍ଷ ଟଙ୍କା ଅନୁଦାନରେ କଲେଜର ପ୍ରଶାସନିକ ଭଵନ ଓ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଏଥର ଦ୍ଵିତୀୟ ପର୍ଯ୍ୟାୟରେ ଉପଲବ୍ଧ ଅର୍ଥ ବିନିମୟରେ ଅତିରିକ୍ତ ଶ୍ରେଣୀ କୋଠରୀ ସହ ଶୌଚାଳୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି l ଉଚ୍ଚଶିକ୍ଷା ବିଭାଗ ର ପତ୍ର ସଂଖ୍ୟା ୧୦୩୩୦, ତା ୧୧/୦୩/୨୦୨୪ ଅନୁଯାୟୀ ରାଜ୍ୟର ୭୬ଟି ଡିଗ୍ରୀ କଲେଜକୁ ଦ୍ଵିତୀୟ ପର୍ଯ୍ୟାୟ ଅନୁଦାନ ମଂଜୁର କରାଯାଇଥିବାବେଳେ ତହିଁରେ ସ୍ଥାନ ପାଇଛି ଵୀରମହାରାଜପୁର ମହାବିଦ୍ୟାଳୟ l ସୂଚନା ଯୋଗ୍ୟ ଯେ, ଚଳିତ ଶିକ୍ଷାବର୍ଷ ଏହି ମହାବିଦ୍ୟାଳୟ 5ଟି ରୂପାନ୍ତରୀଣ ପ୍ରକ୍ରିୟା ରେ ସାମିଲ ହୋଇଥିବାରୁ ଏକ କୋଟି ଟଙ୍କା ଅନୁଦାନ ରେ ଚାରୋଟି ସ୍ମାର୍ଟ କ୍ଲାସ ସହିତ ବିଜ୍ଞନାଗାର, ଲାଇବ୍ରେରୀ ଏବଂ ସ୍ୱତନ୍ତ୍ର ଶୌଚାଳୟ ଆଦି ନିର୍ମାଣlଧୀନ ରହିଥିବା ଜଣାଯାଇଛି lଉପଖଣ୍ଡ ସଦର ମହକୁମା ସ୍ଥିତ ୪୩ବର୍ଷର ପୁରାତନ ଏହି ମହାବିଦ୍ୟାଳୟ ରେ ଦୀର୍ଘଦିନରୁ ବିବିଧ ସମସ୍ୟା ଲାଗି ରହିଥିବାବେଳେ ସମ୍ପ୍ରତି ଏହାର ବିକାଶ ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଥିବାରୁ କଲେଜ ପ୍ରଶାସନ ତରଫରୁ ଗଭର୍ଣ୍ଣିଙ୍ଗ ବଡି ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ଏବଂ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢ଼ୀ ରାଜ୍ୟସରକାର ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ