ବ୍ରହ୍ମପୁର,୦୪/୧୦(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ ମଧ୍ଯ ଅଭିଯୋଗ ଉଠୁଛି। ଅନେକ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ଆସୁଛି । ଗତ କିଛିଦିନ ତଳେ ବ୍ରହ୍ମପୁର ପୁଲିସ ଏଭଳି ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ପର୍ଦ୍ଦାଫାସ କରିଥିଲା। ପୂର୍ବରୁ ଆସିକା ପୁଲିସ ମଧ୍ଯ ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ଧରିଥିଲା । ଏବେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରୁ ବାହାର ରାଜ୍ୟର ସାର୍ଟିଫିକେଟରେ ୪୧ଜଣ ଚାକିରି କରୁଥିବା ଜଣାପଡିଛି। ସେମାନଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ସୂଚନା ଅଧିକାର କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ସେ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ବିଭାଗ ମନ୍ତ୍ରୀ,ଶିକ୍ଷା ସଚିବ,ମୁଖ୍ଯ ଶାସନ ସଚିବ, କ୍ରାଇମବ୍ରାଞ୍ଚ, ଏସପି ଭିଜିଲାନ୍ସ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଜାଲ୍ ଶିକ୍ଷକଙ୍କ ତାଲିକା ୫୫୦ ରୁ ଉର୍ଦ୍ଧ୍ବ ହେଲାଣି। ତନ୍ମମଧ୍ଯରୁ ପ୍ରାୟ ୯୬ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ ଜଣ ଚାକିରି ଛାଡିଛନ୍ତି। ବର୍ତ୍ତମାନ ଜାଲ୍ ସାର୍ଟିଫିକେଟ ତଦନ୍ତ ସମୟରେ ଧରାପଡିଲେ ସମ୍ପୃକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ଦରମା ବାବଦରେ ନେଇଥିବା ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ତାଙ୍କର ପିଟିସନରେ ଅନୁରୋଧ କରିଛନ୍ତି। ପୂର୍ବରୁ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ ଚିକିଟି ଅଞ୍ଚଳର ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ କରିଥିଲେ ମଧ୍ଯ ତଦନ୍ତ କଣ ହେଲା ଶିକ୍ଷା ବିଭାଗ ସ୍ପଷ୍ଟ କରି ନାହିଁ।