ଚିକିଟି ନିର୍ବାଚନ ମଣ୍ଡଳୀ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଓ ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କଲା ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟିର ପ୍ରତିନିଧି ମଣ୍ଡଳୀ ।
ଚିକିଟି,୦୨/୧୧(ପିପିଟି): ଗଞ୍ଜାମ ଜିଲ୍ଲାର ଚିକିଟି,ପାତ୍ରପୁର ବ୍ଲକରେ ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି l ଏହି ପରିପ୍ରେକ୍ଷୀରେ କଳବାଡ଼ ପଂଚାୟତ ର ଅନେକ ଗ୍ରାମ ସହିତ ସୁନାପୁର ଏବଂ ସୁରଳ ଗ୍ରାମରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ବାତ୍ୟାର ୫ ଦିନ ପରେ ମଧ୍ୟ ଗ୍ରାମର ରାସ୍ତାଘାଟ ଓ ଗାଁ ଦାଣ୍ଡରେ ପାଣି ଜମି ରହିଥିବାରୁ ଜନସାଧାରଣ ନାନା ପ୍ରକାର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ନିଷ୍କ୍ରିୟତା ଓ ଅନୁପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ କମ୍ରେଡ୍ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଚିକିଟି ପାତ୍ରପୁର ଅଞ୍ଚଳ ର ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସୁରଳ ଗ୍ରାମରେ ପହଞ୍ଚି ଡୁଙ୍ଗା ସାହିର ସମସ୍ୟା ଦେଖି ଚୁଡା, ବିସ୍କୁଟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଫରୱାର୍ଡ଼ ବ୍ଲକ ର ରାଜ୍ୟ ନେତା ବେଣୁଧର ହରିଚନ୍ଦନ, ଫରୱାର୍ଡ଼ ବ୍ଲକ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସାହୁ, ଆଜାଦ ହିନ୍ଦ ବାହିନୀ ର ରାଜ୍ୟ ସଂଯୋଜିକା ରିଙ୍କି ସାହୁ, ବିମଳା ତଲିଆ, ମାଳତୀ ପୂଜାରୀ, ସବିତା ନାୟକ, ପ୍ରମିଳା ଗାଦ୍ୱା, ଜିଲ୍ଲା ସଂଯୋଜିକା ସ୍ମୃତିଶ୍ରୀ ପାଢ଼ୀ ପ୍ରମୁଖ ଙ୍କ ତେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳି ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଓ କ୍ଷୟକ୍ଷତି ର ଆକଳନ କରିଥିଲେ l
ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଗ୍ରାମବାସୀଙ୍କ ସହ ଆଲୋଚନା କରି ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଜଳ ନିଷ୍କାସନ ସମସ୍ୟା ଏବଂ ବାତ୍ୟା ପରବର୍ତ୍ତୀ ଜନସାଧାରଣଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପଚାରି ବୁଝିଥିଲେ।
ବାତ୍ୟାର ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ସୁରଳ ଗ୍ରାମରେ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟରେ ଆଶାନୁରୂପ ପଦକ୍ଷେପ ଦେଖିବାକୁ ମିଳୁନଥିବା ଘଟଣା ଚିନ୍ତାଜନକ। ଏହା ଗ୍ରାମବାସୀଙ୍କ ଜୀବନଯାପନକୁ ଅଧିକ ଦୁର୍ବିଶୟ କରିଛି ବୋଲି ଅନୁସନ୍ଧାନ ରୁ ସ୍ପଷ୍ଟ ହୋଇଛି ।
ଏହି ଅବସ୍ଥାରେ ପ୍ରଶାସନ ତୁରନ୍ତ ସୁରଳ ଗ୍ରାମ ସମେତ କ୍ଷତିଗସ୍ତ ଅନ୍ୟାନ୍ୟ ଗ୍ରାମରେ ପହଞ୍ଚି ଜଳ ନିଷ୍କାସନ, କ୍ଷୟକ୍ଷତିର ଆକଳନ ଏବଂ ପ୍ରଭାବିତ ଜନସାଧାରଣଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦାବି କରାଯାଇଛି ।
ସାଧାରଣ ଜନତାଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଖୁବ ଶୀଘ୍ର ଗଞ୍ଜାମ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ଫରୱାର୍ଡ଼ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି ।
ରିପୋର୍ଟ -(ନିଗମାନନ୍ଦ ପଣ୍ଡା )