ଭଞ୍ଜନଗର,୦୪/୦୮(ପିପିଟି): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ତଥା ଭଞ୍ଜନଗର ପଞ୍ଚାୟତ ସମିତି ସୌଜନ୍ୟରେ ସହରର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର,ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ ଯୋଗ ଦେଇ ଭଞ୍ଜନଗର ଅଞ୍ଚଳରେ ଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ରଛତ୍ରୀଙ୍କ ନିମନ୍ତେ ମୌଳିକ ଶିକ୍ଷା,ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଦିବ୍ୟାଙ୍ଗ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ୪୨୦ ଜଣ ପଞ୍ଜିକରଣ କରିଥିବା ବେଳେ ଶାରିରୀକ ବିକଳାଙ୍ଗ, ଶ୍ରବଣ ବାଧିତ ଓ ବାକ୍ ଶକ୍ତି ରହିତ,ଦୃଷ୍ଟି ବାଧିତ, ମାନସିକ ଅଗ୍ରସର ଏବଂ ଏକାଧିକ ଦିବ୍ୟାଙ୍ଗ ଜନିତ ଛାତ୍ରଛାତ୍ରୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ସେହିପରି ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ତିନି ଚକିଆ ସାଇକେଲ୍,ହ୍ୱିଲ୍ ଚେୟାର୍, ଆଶାବାଡି,ବ୍ଲାଇଣ୍ଡ ଷ୍ଟିକ୍ ଓ ୱାକର୍ ପ୍ରଦାନ କରାଯାଇ ଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )