ମାଲକାନଗିରି,୩୧/୦୭(ପିପିଟି): କର୍ମମୟ ଜୀବନରେ ଅବସର ନିଶ୍ଚୟ ତ ଆସିଵ। କିନ୍ତୁ ଆଜି ଯେଉଁ ବ୍ୟକ୍ତିଙ୍କ ଅବସର କଥା କହୁଛୁ,ସେ ଜଣେ ସଚୋଟ ଶିକ୍ଷକ କଥା। କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମ୍ ଭି – ୫୧ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତାଙ୍କ ଚାକିରୀ ଜୀବନ କାଳ ମଧ୍ୟରେ ଶିକ୍ଷକମାନଙ୍କ ସମସ୍ୟା ବୁଝି ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ କର୍ମମୟ ଜୀବନରେ ସେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତିରେଖା ସାହୁ ଅଧ୍ୟକ୍ଷତା କରିଥିଲା ବେଳେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତି ବନ୍ଧୁ ବିଜୟ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ବାଲିମେଳା ଜଳ ସେଚନ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ଦିଲ୍ଲୀପ ବେପାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲକାନଗିରି ପ୍ରାଥମିକ ଶିକ୍ଷକଙ୍କୁ ଶିକ୍ଷାର ମେରୁଦଣ୍ଡ ସମ ତୁଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଠାକୁର ଦାସ ମାଝି, ବୈକୁଣ୍ଠନାଥ ମହାନ୍ତି ସି ଆର୍ ସି ସି,ସତ୍ଯ ଦେ ସି ଆର୍ ସି ସି,ସୁଶାନ୍ତ ଦଳେଇ ସି ଆର୍ ସି ସି, କଲ୍ଯାଣୀ ସ୍ବାଇଁ ସି ଆର୍ ସି ସି, ଲଳିତ ସାମଲ ସି ଆର୍ ସି ସି, ଗୋଲକ ମହାନ୍ତି,ପ୍ରଭାତ ପରିଡା ତଥା ଗ୍ରାମବାସୀ ପ୍ରମୁଖ ଶତାଧିକ ଲୋକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଏକ ଦୁଃଖ ପୂର୍ଣ୍ଣ ପରିବେଶରେ ସ୍ବାଇଁଙ୍କ ଦୀର୍ଘ ଜୀବନ କାମନା କରି ବିଦାୟ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)