ମାଲକାନଗିରି,୨୫/୦୫(ପିପିଟି): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟ ଆଜି ବିକାଶ ଖୋଜୁଛନ୍ତି । ବଣ୍ଡାଙ୍କ ଉନ୍ନତି ପାଇଁ ୧୯୭୭ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ବଣ୍ଡା ଉନ୍ନୟନ ପ୍ରକଳ୍ପ ନାମରେ ଏକ ଉନ୍ନୟନ ସମିତି ଗଠନ କରିଥିଲେ । ଉଦ୍ଦେଶ୍ୟ ଥିଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା , ଅଣ୍ଡ୍ରାହାଲ ପଞ୍ଚାୟତରେ ବାସ କରୁଥିବା ୩ ହଜାରରୁ ଉର୍ଦ୍ଧ୍ବ ଏହି ପ୍ରାଚୀନ ବଣ୍ଡା ଜନଜାତିଙ୍କ ବିକାଶ ହେବ। ସେମାନଙ୍କ ରହିବା ପାଇଁ ବାସ ସ୍ଥାନ ନିର୍ମାଣ, ସ୍ଵାସ୍ଥ୍ୟ , ପାନୀୟ ଜଳ ଯୋଗାଣ, ଶିକ୍ଷା ପ୍ରଦାନ, ଗମନା ଗମନ ପାଇଁ ରାସ୍ତା ନିର୍ମାଣ ବ୍ୟବସ୍ଥା କରିବା ସହ ଓ ଜୀବନ ଧାରଣ ଲାଗି ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା। ଇତିମଧ୍ୟରେ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରହିଥିବା ଏହି ଉନ୍ନୟନ ସଂସ୍ଥାକୁ ୨୦୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଆସିଲାଣି । କିନ୍ତୁ ୪୫ ବର୍ଷ ପରେ ବି ବଣ୍ଡା ଜନଜାତି ଏବେ ବିକାଶ ଠାକୁ ବହୁ ପଛରେ ରହିଛି । ବଣ୍ଡା ଜନଜାତିଙ୍କ ଶୈକ୍ଷିକ,ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଧୁରି ପାରୁନି । ବିକାଶ ଠାରୁ ଯୋଜନ ଯୋଜନ ଦୂରରେ ରହୁଛନ୍ତି ଏହି ବଣ୍ଡା ସଂପ୍ରଦାୟ ।କେଉଁ ପ୍ରାଚୀନ କାଳରୁ ସମୁଦ୍ର ପତନ ଠାରୁ ୩ ହଜାରରୁ ଊର୍ଦ୍ଧ୍ୱ ଫୁଟ୍ ଉଚ୍ଚତା ବିଶିଷ୍ଟ ବଣ୍ଡାଘାଟିରେ ବସବାସ କରି ଆସୁଛନ୍ତି ଏହି ଆଦିମ ଜନଜାତି । ଏହି ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚୁର ପରିମାଣରେ ଅନୁଦାନ ପ୍ରତି ଆର୍ଥିକ ବର୍ଷରେ ଆସୁଥିଲେ ମଧ୍ଯ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ / ସଂସ୍ଥାକୁ ଟେକି ଦେଉଥିବା ବେଳେ ଆଜି ବି ଶିକ୍ଷା,ସ୍ବାସ୍ଥ୍ୟ ,ଗମନାଗମନ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ । ବଣ୍ଡା ଉନ୍ନୟନ ପ୍ରକଳ୍ପ ଗଠନ ହେବାର ୪୫ ବର୍ଷ ଲିତିଯାଇଥିଲେ ମଧ୍ଯ ପ୍ରତ୍ଯେକ ଗ୍ରାମରେ ପିଇବା ପାଇଁ ପାଣି ନାହିଁ । ଆଜି ବି ବଣ୍ଡା ଜନଜାତି ସମୂଦାୟ ଚୁଆରୁ ପାଣି ସଂଗ୍ରହ କରି ତୃଷା ମେଣ୍ଟାଉଛନ୍ତି । ମୁଦୁଲିପଡ଼ାରେ ଗୋଟିଏ ଡାକ୍ତରଖାନା ଅଛି ସତ, କିନ୍ତୁ ଏଠି ଡାକ୍ତରଙ୍କୁ ଦେଖିବାକୁ ମିଳେ ନାହିଁ । ମୁମୁର୍ଷୁ ରୋଗୀଙ୍କ ପାଇଁ ଖଟିଆ ଓ ଟୋକେଇ ଏଠି ପାଲଟିଛି ମୋବାଇଲ ଆମ୍ବୁଲାନ୍ସ । ମୁଦୁଲିପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଛି, ହେଲେ ଗୋଟିଏ ବି ସରକାରୀ ବସ୍ ଏଠାକୁ ଆସୁନାହିଁ । ଭଙ୍ଗା ଦଦରା ଟ୍ରାକ୍ଟର ଓ ଜିପ୍ରେ ପରିବା ଅଖା ଲଦା ହେବା ଭଳି ଲୋକ ଲଦି ହୋଇ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଛନ୍ତି I ଶିକ୍ଷା କଥା ନ କହିବା ଭଲ । ଓଡ଼ିଶାରେ ସାକ୍ଷରତା ହାର ଏଠି ସବୁଠୁ କମ୍ । କେଉଁଠାରେ ବିଦ୍ୟାଳୟ ନାହିଁ ତ , ଆଉ କେଉଁଠାରେ ବିଦ୍ୟାଳୟ ଥାଇ ଶିକ୍ଷକ ନାହାନ୍ତି । ସଚେତନତା ଅଭାବ ବିକାଶରେ ବାଧକ ସାଜିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା ମାଓବାଦୀଙ୍କ ଭୟ ଯୋଗୁଁ କୌଣସି ଠିକାଦାର କାମ କରୁନାହାନ୍ତି । ସବୁଠାରୁ ପରିତାପର ବିଷୟ ପୁରାଣର କିମ୍ବଦନ୍ତୀ ବହନକାରୀ ଆମାକୁଣ୍ଡ ଓ ସୀତାକୁଣ୍ଡ ଭଳି ବହୁ ଦର୍ଶନୀୟ ସ୍ଥାନ ରହିଛି । ଏଠାରେ ଏକ ସୀତା ଓ ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ କିଛିଦିନ ବିତାଇଥିଲେ । ଏହି ଦର୍ଶନୀୟ ସ୍ଥାନକୁ ଅଦ୍ୟାବଧି ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିପାରି ନାହିଁ । ଦେଶ ବିଦେଶରୁ ଆଜି ବି ଏହି ଆଦିମ ଜନଜାତିଙ୍କୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏମାନଙ୍କ ପରମ୍ପରା ଓ ସଂସ୍କୃତି ଅତି ନିଆରା । ବହୁ ଗବେଷକ ଏହି ଆଦିମ ଜନଜାତିକୁ ନେଇ ବିଭିନ୍ନ ସମୟରେ ଗବେଷଣା କରୁଛନ୍ତି । ଅଥଚ ବିକାଶ ପାଇଁ କିନ୍ତୁ କାହାରି ଆନ୍ତରିକତା ନାହିଁ । ୪୫ବର୍ଷ ଧରି ବଣ୍ଡା ଉନ୍ନୟନ ସମିତି ଦ୍ବାରା କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ଏହା ସଠିକ୍ ବିନିଯୋଗ ହୋଇପାରୁନି । ନାମକୁ ମାତ୍ର ଯୋଜନା କରି ଅର୍ଥକୁ ସରକାରୀ ବାବୁ ହରିଲୁଟ କରୁଥିବା ଅଭିଯୋଗ ହେଉଛି । ଏହି ବଣ୍ଡାଘାଟିରେ ପାଇଖାନା ଦୁର୍ନୀତି ଠାରୁ ରାସ୍ତା ନିର୍ମାଣରେ ଦୁର୍ନୀତି ଭଳି ବହୁ ସରକାରୀ ଅର୍ଥ ଦୂରୁପଯୋଗ ପଦାରେ ପଡ଼ିଛି । ସ୍ବାସ୍ଥ୍ୟ , କୃଷି , ଶିକ୍ଷା ଏବଂ ଜୀବିକା ମିଶନର ଉନ୍ନତି ପାଇଁ ଏହି ଉନ୍ନୟନ ସମିତି ଗଠନ କରାଯାଇଥିଲା । କେବଳ ନାମକୁ ମାତ୍ର ଏହି ଉନ୍ନୟନ ସମିତି । ଆଜି ପର୍ଯ୍ୟନ୍ତ ଏହି ସଂସ୍ଥା ଦ୍ବାରା ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ବିଗତ ୪୫ ବର୍ଷ ମଧ୍ୟରେ ମିଳିଥିବା ବେଳେ ଏହି ଦୁଇଟି ପଞ୍ଚାୟତ କିନ୍ତୁ ବିକାଶ ଦେଖୁପାରିନାହିଁ । ପୂର୍ବତନ ଜିଲାପାଳ ଗଗନ ଧଳଙ୍କ ସମୟରେ କିଛିଟା ଉନ୍ନୟନମୂଳକ କାମ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ମାଓବାଦୀଙ୍କ ଭୟ ଓ ଦୁର୍ଗମ ଅଞ୍ଚଳର ଆଳ ଦେଖାଇ କୌଣସି ସରକାରୀ ବାବୁଙ୍କ ପାଦ ଏଠାରେ ପଡ଼ିନାହିଁ । ଆଜି ବି ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଏମାନଙ୍କ ଠାରୁ ଶହଶହ କୋଷ ଦୂରରେ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ଚାଷ କାର୍ଯ୍ୟ ଏମାନଙ୍କ ମୁଖ୍ୟ ଜୀବିକା । ପାରମ୍ପରିକ ପଦ୍ଧତିରେ ଚାଷ କାମ କରୁଥିବାବେଳେ ଜଙ୍ଗଲର ଝାଡୁ , ତେନ୍ତୁଳି , ଝୁଣା ଭଳି ବହୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କଲେ ଏମାନଙ୍କ ଚୁଲି ଜଳେ । ରାଜ୍ୟ ଓ କେନ୍ଦ୍ର ସରକାର ଏମାନଙ୍କ ବହୁବିଧ ବିକାଶ ଦିଗରେ ଦୃଷ୍ଟି ଥିଲେ ମଧ୍ଯ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ପ୍ରପ୍ତ ଅନୁଦାନ ବାଟମାରଣା ହୋଇ କାଗଜ କଲମରେ ବିକାଶ ଚାଲିଛି। ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀିତ ଗ୍ରସ୍ଥ କର୍ମଚାରୀଙ୍କ ବିରୁଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଗଲେ ସଠିକ ମାର୍ଗରେ ଅର୍ଥ ବିନିଯୋଗ ହୋଇ ପାରନ୍ତା ବୋଲି ସାଧାରଣରେ ଦାବି କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)