ବାଲିଗୁଡା,୧୪/୦୫ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୦୯ ତାରିଖ ଦିନ ସୁଧୀର ପ୍ରଧାନ(୫୮)ଙ୍କୁ ନିଜ ଭାଇ ଶ୍ରୀମୁଖୀ ପ୍ରଧାନ(୩୫)ଏବଂ ପୁତୁରା ନରେଶ ପ୍ରଧାନ(୩୦) ମଦ୍ୟପାନ କରି ଏକ ଆଜବେଷ୍ଟକୁ କେନ୍ଦ୍ର କରି ପାରିବାରିକ କଲହରୁ ଏକ କାଠରେ ଆକ୍ରମଣ କରିଥିଲେ, ଫଳରେ ସୁଧୀର ଗୁରୁତର ଆହତ ହୋଇଥିଲେ । ସୁଧୀରଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀ ସୁଧୀରକୁ ଟିକାବାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇ ଘରକୁ ଫେରାଇ ନେଇଥିଲେ । ପୁଣି ୧୩ ତାରିଖ ଦିନ ସେ ଗୁରୁତର ହେବାରୁ ଖଜୁରୀପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ସୁଧୀର ର ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ । ସୁଧୀରର ସ୍ତ୍ରୀ କିଛି ଟଙ୍କା ପଇସା ଯୋଗାଡ଼ କରିବା ଉଦେଶ୍ୟରେ ନିଜ ଗ୍ରାମ ବପଲମେଣ୍ଡି-ଏଲ ର ଅଡିମାରୀ ଦେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟ କୁ ନେଇଯାଉଥିବା ସମୟରେ ବାଉସୁଣୀ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତ ସୁଧୀର ସ୍ତ୍ରୀ ଦୁଲାନା ପ୍ରଧାନ ଟିକାବାଲି ଥାନାରେ ତାଙ୍କ ସ୍ୱାମୀକୁ ଆକ୍ରମଣ ବିଷୟ ଲିଖିତ ଅଭିଯୋଗ କରିଥିଲେ । ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ, ଏକ ମାମଲା ୧୦୪/୨୬ ରେ ରୁଜୁ କରି ମୃତ ଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏଥି ସହ ମାମଲାର ଅଧିକ ତଦନ୍ତ ଚାଲିଥିବା ବିଷୟ ଥାନା ଅଧିକାରୀ ସମିର କୁମାର ବେହେରା ସୂଚନା ଦେଇଛନ୍ତି ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ