ଲଗାଣ ବର୍ଷାରେ ଭଞ୍ଜନଗର ଅଞ୍ଚଳରେ ବଢୁଛି ନଦୀର ଜଳସ୍ତର; ଜନ ଜୀବନ ଅସ୍ତବ୍ୟସ୍ତ ।

0 482

ଭଞ୍ଜନଗର,୧୩/୦୯(ପିପିଟି): ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜଳସ୍ତର ବୃଦ୍ଧି ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ରବିବାର ସକାଳ ୯ଟା ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୩୫ ଘଣ୍ଟା ଧରି ଲଗାତାର ଭାବେ ବର୍ଷା ଲାଗିରହିଥିବାରୁ ବିଭିନ୍ନ ନଦୀ, ନାଳ, ପୋଖରୀରେ ଜଳସ୍ତର ଅହେତୁକ ଭାବେ ବୃଦ୍ଧି ପାଇଛି।ଯାହାକୁ ନେଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ନଦୀ ବନ୍ଧର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରାଯାଇଛି।ବିଶେଷ କରି ଲୋହାରାଖଣ୍ଡି, ବଡ଼ ନଦୀ ଓ ବୋଡ଼ା ନଦୀରେ ବିପଦ ସଙ୍କେତ ତଳକୁ ନଦୀଜଳ ପ୍ରବାହିତ ହେଉଥିବା ଜଣାପଡିଛି।ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଭଞ୍ଜନଗର ଠାରେ ୬୫ମି.ମି, ବେଲଗୁଣ୍ଠାରେ ୪୭ମି.ମି,ଜଗନ୍ନାଥ ପ୍ରସାଦ ରେ ସର୍ବାଧିକ ୭୬ମି.ମି,ବୁଗୁଡ଼ାରେ ୫୭ମି.ମି,ଆସ୍କାରେ ୪୩ ମି.ମି,ଧରକୋଟ ରେ୪୫ମି.ମି, ଶେରଗଡ଼ରେ୩୪ମି.ମି, ସୋରଡ଼ା ରେ ସର୍ବନିମ୍ନ ୨୬ମି.ମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବଂ ରାସ୍ତାଘାଟରେ ଅଳିଆ ଆବର୍ଜନା ସହ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।ଲୋକ ମାନେ ମଧ୍ୟ ଜରୁରୀ କାମରେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି।ରାସ୍ତା ଘାଟ ଶୁନଶାନ ଥିବା ବେଳେ ଦୋକାନ ବଜାର ମଧ୍ୟ ଫାଙ୍କା ରହିଛି।ବନ୍ୟା ଆଶଙ୍କା ରେ ଜନ ସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.