‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଳାପାଳ।

0 374

ରାୟଗଡା,୦୪/୦୬(ପିପିଟି);ରାୟଗଡ ଜିଲ୍ଳାପ୍ରଶାସନ ପକ୍ଷରୁ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ଜୁନ ୨ତାରିଖରୁ ଆରମ୍ଭ ହୋଇଛି ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ‘ଗାଁ ଆମ୍ବ ପସରା’ । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଳାରେ ଥିବା ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଉତ୍ପାଦିତ ଆମ୍ବର ବଜାରୀକରଣ ବ୍ୟବସ୍ଥା ଏବଂ ଦଲାଲର ଠକାମୀରୁ ବଂଚିତ କରି ଉଚିତ୍ ମୂଲ୍ୟ ଯୋଗାଇବା ଏହି ଆମ୍ବ ମହୋତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିବା ସହ ଆମ୍ବ ଦ୍ୱାରା ଜୈବିକ ପଦ୍ଧତିରେ ଆମ୍ବସଢା,ଆମ୍ବୁଲ ଓ ଅନ୍ୟାନ୍ୟ ଆମ୍ବଜାତ ପଦାର୍ଥ ପ୍ରସ୍ତୁତକରି ଜାତୀୟ ବଜାରରେ ଆଗାମୀ ଦିନରେ ବଜାରୀକରଣ ବ୍ୟବସ୍ଥା ଉପରେ ପ୍ରଶାସନର ପ୍ରୟାସ ଜାରି ରହିଛି ବୋଲି କହିଥିଲେ । ଗାଁ ଆମ୍ବ ପସରା ମହୋତ୍ସବରେ ଆମ୍ବଚାଷୀଙ୍କ ଠାରୁ ଆରମ୍ଭ କରି ସ୍ୱଂୟ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହିତ ସ୍ଥାନୀୟ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ ସହ ଅନ୍ୟ ଅଂଚଳର ବିଭିନ୍ନ କିସମର ସୁଆଦିଆ ଆମ୍ବକୁ ପ୍ରଦର୍ଶିତ କରିବା ସହ ବିକ୍ରି କରାଯାଇ ଗ୍ରାହକଙ୍କୁ ସୁଲଭ ମୂଲ୍ୟ ଏବଂ ଚାଷିଙ୍କୁ ଉଚିତ ମୂଲ୍ୟ ମିଳିବାର ପ୍ର୍ରୟାସ କରାଯାଇଛି । ରାୟଗଡ ଜିଲ୍ଳାରେ ବର୍ତମାନ ଆମ୍ବଚାଷକୁ ଚାଷୀମାନେ ଅର୍ଥକାରୀ ଫସଲ ଭାବେ ବାଛି ନେଇଥିବା ବେଳେ ପ୍ରଶାସନର ସହାୟତାରେ ଉତ୍ପାଦିତ ଆମ୍ବକୁ ବିକ୍ରି କରି ଭଲ ରୋଜଗାର କରିପାରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ ଆମ୍ବ ବଜାର ନିର୍ମାଣ ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆମ୍ବଚାଷୀ ଜଣାଇଛନ୍ତି। ଏହି ଆମ୍ବ ମହୋତ୍ସବରେ ଆମ୍ରପାଲି, ଦିସାରୀ, ବାଇଗଣପଲ୍ଳୀ, ଆଖୁରସ,ହେମସାଗର,ଲେଙ୍ଗଡା, ମଲ୍ଳିକା ସମେତ ଆହୁରି ଅନେକ କିସମର ସୁଆଦିଆ ଆମ୍ବଗୁଡିକ ପ୍ରଦର୍ଶିତ ହେବା ସହ ସୁଲଭ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।ତେବେ ରାୟଗଡ ବଜାରରେ ଛୋଟ ଆମ୍ବ ବ୍ୟବସାୟୀମାନେ ଆମ୍ବ କେଜି ପିଛା ୫୦ଟଙ୍କାରୁ ୭୦ଟଙ୍କା ମଧ୍ୟରେ ବିକ୍ରି କରୁଥିବା ବେଳେ ଗାଁ ଆମ୍ବ ପସରାରେ ୩୦ଟଙ୍କାରୁ ୫୦ଟଙ୍କା ମଧ୍ୟରେ ବିଭିନ୍ନ କିସମର ସୁଆଦିଆ ଆମ୍ବ ମିଳୁଥିବାରୁ ଗ୍ରାହକଙ୍କ ଭିଡ ଜମିବ ବୋଲି ଆଶା କରାଯାଇଛି । ଏହି ଆମ୍ବ ପସରାରେ ମୁନିଗୁଡା,କଲ୍ୟାଣସିଂହପୁର ଓ କାଶିପୁର ବ୍ଳକର ଉତ୍ପାଦକ ଗୋଷ୍ଠୀ, ଡିିଏଫପିସିଏଲ,ରାୟଗଡ,ଉଦ୍ୟାନ କୃଷି ବିଭାଗ, ମିଶନ ଶକ୍ତି,ରାୟଗଡ,ଓଡିଶା ଜୀବିକା ମିଶନ ଓ ଓରମାସ ଅଧିନରେ ଥିବା ବିଷମକଟକ ଓ ମୁନିଗୁଡାର ଡଙ୍ଗରିଆ ଚାଷୀଙ୍କ ସମେତ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଷ୍ଟଲଗୁଡିକରେ ଆମ୍ବ ପ୍ରଦର୍ଶିତ ସହ ଖୁଚୁରା ବିକ୍ରିୟ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ଦିନରେ ସମସ୍ତ ଉତ୍ପାଦକ ଗୋଷ୍ଠୀ ଓ କୃଷକଙ୍କ ପକ୍ଷରୁ ୭୮କ୍ୱିଂଟାଲ ଆମ୍ବ ଅଣାଯାଇଥିବା ବେଳେ ୨୫.୭୫ କ୍ବିଣ୍ଟାଲ ଆମ୍ବ ବିକ୍ରି କରାଯାଇ ୧ଲକ୍ଷ ତିନି ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡିଛି। ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ ,ଓରମାସର ସହାୟକ ନିର୍ଦ୍ଦେଶକ ମନୋଜ ପାତ୍ର,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜ,ମିଶନ ଶକ୍ତିର ନିରଂଜନ ମଲ୍ଳିକ,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି,ଗତବର୍ଷ ମହାମାରୀ କରୋନା ସଂକ୍ରମଣର ଭୟଭୟତାକୁ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇ ପାରି ନ ଥିଲା । ତେବେ ଚଳିତ ବର୍ଷ ଜୁନ ମାସରେ ସଂକ୍ରମଣ ସଂଖ୍ୟା ଏକ ପ୍ରକାର ନିୟନ୍ତ୍ରଣାଧୀନ ଥିବାରୁ କୋଭିଡ ନିୟମ ପାଳନ କରି ଗ୍ରାହକଙ୍କୁ ଆମ୍ବ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି ।
(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.