ବେଗୁନିଆପଡା,୨୬/୦୯(ପିପିଟି ):ସାମାନ୍ୟ ବର୍ଷା ହେଲେ ଚିଙ୍ଗୁଡ଼ିଖୋଲ ମୁଖ୍ୟ ରାସ୍ତାରେ ଜମୁଛି ଅଣ୍ଟାଏ ପାଣି। ରାସ୍ତା ଉପରେ ଜଳବନ୍ଦୀ ସ୍ଥିତି ଯୋଗୁଁ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟତ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ପାଇଁ ବର୍ଷା ଦିନ ଦୁର୍ଦ୍ଦଶାର କାରଣ ପାଲଟିଛି। ଉସ୍ତାଳିର ଛାତ୍ରଛାତ୍ରୀ ଚିଙ୍ଗୁଡ଼ିଖୋଲକୁ ପାଠ ପଢ଼ିବାକୁ ଆସୁଥିବା ବେଳେ ଚିଙ୍ଗୁଡ଼ିଖୋଲର ଛାତ୍ରଛାତ୍ରୀ ମଧ୍ୟ କଲେଜ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ଷା ହେଲେ ରାସ୍ତାରେ ଜମିଯାଉଥିବା ପାଣି ଯାତାୟତରେ ବଡ଼ ବାଧା ସୃଷ୍ଟି କରୁଛି। ସବୁଠାରୁ ବଡ଼ କଥା ହେଉଛି, ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ଖବର ହୋଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ବର୍ଷା ଆସୁଛି, ରାସ୍ତାରେ ପାଣି ଜମୁଛି, ଲୋକେ ହନ୍ତସନ୍ତ ହେଉଛନ୍ତି , କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଲୋକେ ପାଣିରେ ଯାତାୟତ କରୁଛନ୍ତି, ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ଖବର ପ୍ରସାରଣ ପରେ ବି ଯଦି ପ୍ରଶାସନର ନିଦ ଭାଙ୍ଗୁନି, ତେବେ ଆଉ କେତେ ଦିନ ଏଭଳି ଦୁର୍ଦ୍ଦଶା ଭୋଗିବେ ଅଞ୍ଚଳବାସୀ ? ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସହ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ