ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

0 182

ବ୍ରହ୍ମପୁର,ତା.୩୦/୦୫(ପିପିଟି); ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ସଂଘର କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କରୋନା ମହାମାରୀର ପ୍ରଳୟଙ୍କରୀ ବିଭିଶିଖା ମଧ୍ୟରେ ସର୍ବାଧିକ କ୍ଷତିଗ୍ରସ୍ତ କଳାକାର ସମାଜର ଦୟନୀୟ ସ୍ଥିତିର ସୁଧାର ଆନୟନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । କ୍ଷତିଗ୍ରସ୍ତ କଳାକାର ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ସଂପୃକ୍ତ ସଚିବ ମାନଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଥିବା ସମ୍ପର୍କରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ତାଙ୍କ ସ୍ଵାଗତ ଭାଷଣ କ୍ରମରେ ପ୍ରକାଶ କରିଥିଲେ । ତେବେ ନିଜସ୍ଵ ପ୍ରଚେଷ୍ଟାରେ ନିହାତି ଅସହାୟ ଅବସ୍ଥାରେ ଥିବା ଆମ କଳାକାର ଭାଇ ଭଉଣୀଙ୍କୁ ସହାୟତାର ହାତ ବଢେ଼ଇବା ସମ୍ପର୍କରେ ଆଲୋଚନା କାଳରେ ସ୍ଥିର କରାଯାଇଥିଲା । ଏଥିରେ ବରିଷ୍ଠ ସଙ୍ଗୀତଜ୍ଞ ଗୁରୁ ସିମାଞ୍ଚଳ ଦାସ, ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ସୁନାମଧନ୍ୟ ମଞ୍ଚ ଅଭିନେତା ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ସୁନାମଧନ୍ୟା ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ପ୍ରମୁଖ ସଂଘ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ-ସଦସ୍ୟା ଓ କଳାକାର ଅଂଶ ଗ୍ରହଣ କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ତଥା ଜନୈକ ପ୍ରତିଷ୍ଠାତା ସଦସ୍ୟ ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଏକଷଠିତମ ଜନ୍ମଦିନ ଅବସରରେ ସଂଘ ପକ୍ଷରୁ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ମାମା, କୋଷାଧ୍ୟକ୍ଷ ବଳଦେବ ସାହୁ, କାର୍ଯ୍ୟକାରୀ ସଦସ୍ୟ ନୀଳ ମାଧବ ଜେନା, କିଶୋର କପୁର, କଣ୍ଠଶିଳ୍ପୀ ଅନୁରାଧା ପାଣି ପ୍ରମୁଖ ଉପାୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଂସ୍କୃତିପ୍ରାଣତା ଓ ଦକ୍ଷ ସାଙ୍ଗଠନିକ ଶକ୍ତିର ଭୂୟସୀ ପ୍ରଶଂସା କରିଥିଲେ । ପରିଶେଷରେ ସମ୍ପାଦକ ଶ୍ରୀ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.